ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି ଗ୍ରୀଷ୍ମଋତୁରେ ବିଶ୍ୱ ସାରା ଅସହ୍ୟ ଗରମ ଅନୁଭୂତ ହେଉଛି। ଏହା ପଛରେ ଏଲ୍ ନିନୋର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରୁଛନ୍ତି। ଦ୍ରୁତ ଗତିରେ ବିକଶିତ ହେଉଥିବା ଏବେକାର ଅଭୂତପୂର୍ବ ଏଲ୍ ନିନୋ ଘଟଣା ବାୟୁମଣ୍ଡଳୀୟ ତାପମାତ୍ରା ବୃଦ୍ଧିକୁ ତ୍ୱରାନ୍ବିତ କରୁଛି। ଏହି ଜଳବାୟୁ ଚକ୍ର ସାଧାରଣତଃ ଉଷ୍ମ ସମୁଦ୍ର ଜଳକୁ ସଞ୍ଚାଳନ କରୁଥିବା ବାଣିଜ୍ୟ ପବନକୁ ଦୁର୍ବଳ କରି ବାୟୁମଣ୍ଡଳକୁ ବିପୁଳ ପରିମାଣର କ୍ରାନ୍ତିମଣ୍ଡଳୀୟ ଅଞ୍ଚଳର ତାପ ସ୍ଥାନାନ୍ତରିତ କରୁଛି। ଏହା ଫଳରେ ସମଗ୍ର ବିଶ୍ୱରେ ତାପମାତ୍ରା ଆଶାତୀତ ବୃଦ୍ଧି ପାଇବା ସାଙ୍ଗକୁ ଭୟଙ୍କର ତାପ ଲହରି ଅନୁଭୂତ ହେଉଛି। ତେବେ ପ୍ରଶ୍ନ ହେଉଛି: ଏଲ୍ ନିନୋ କ’ଣ ଏବଂ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପଛରେ ଏହାର ଭୂମିକା କ’ଣ।
ଏଲ୍ ନିନୋର ଇତିବୃତ୍ତ
ପ୍ରତ୍ୟେକ ବର୍ଷର ଶେଷ ଆଡ଼କୁ ଦକ୍ଷିଣ ଆମେରିକାର ଇକୁଏଡର ଏବଂ ଉତ୍ତର ପେରୁ ଉପକୂଳରେ ବାସ କରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଏକ ବିଚିତ୍ର ଘଟଣା ଲକ୍ଷ୍ୟ କରୁଥିଲେ: ଏହି ସମୟରେ ସମୁଦ୍ର ଜଳ ଉଷ୍ମୀୟ ପାଲଟି ଯିବା ସହିତ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଥିଲା। ପ୍ରାଚୀନ କାଳରୁ ସ୍ଥାନୀୟ ବାସିନ୍ଦାମାନେ ଏହି ବାର୍ଷିକ ଉଷ୍ମତା ଘଟଣାକୁ ‘ଏଲ୍ ନିନୋ’ ବୋଲି କହୁଥିଲେ, ଯାହା ସ୍ପେନୀୟ ଭାଷାରେ ‘ବାଳକ ଯିଶୁ’ ବୋଲି ବୁଝାଏ, ଯେହେତୁ ଏହା ସାଧାରଣତଃ ବର୍ଷର ଖ୍ରୀଷ୍ଟମାସ ଋତୁରେ ହିଁ ପରିଲକ୍ଷିତ ହୋଇଥାଏ। ପାରମ୍ପରିକ ଭାବେ ପେରୁର ମତ୍ସ୍ୟଜୀବୀମାନଙ୍କ ପାଇଁ ଏଲ୍ ନିନୋର ଆବିର୍ଭାବ ମାଛ ଧରିବା ଋତୁର ପରିସମାପ୍ତି ଏବଂ ନିଜର ଡଙ୍ଗା ତଥା ଅନ୍ୟ ମତ୍ସ୍ୟଧରା ଉପକରଣର ମରାମତି ଓ ରକ୍ଷଣାବେକ୍ଷଣ ସମୟର ଆଗମନକୁ ସୂଚନା କରିଥାଏ। ଆହୁରି ମଧ୍ୟ ପ୍ରତି ଦୁଇରୁ ସାତ ବର୍ଷରେ ଥରେ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳର ଜଳରାଶିରେ ଏକ ଅଧିକ ଶକ୍ତିଶାଳୀ ଉଷ୍ମୀୟ ପ୍ରଭାବ ପ୍ରକାଶ ପାଇଥାଏ। ଏହା ମାସ ମାସ ଧରି ଅନୁଭୂତ ହୋଇଥାଏ, ଯାହାର ପ୍ରଭାବରେ ସାଧାରଣତଃ ଇକୁଏଡର ଏବଂ ଉତ୍ତର ପେରୁର ଶୁଷ୍କ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ଘଟିଥାଏ। ସମୟକ୍ରମେ, ପୂର୍ବର ସ୍ବଳ୍ପ ବାର୍ଷିକ ଉଷ୍ମତା ଘଟଣା ପରିବର୍ତ୍ତେ କେବଳ ଏହି ବୃହତ ଉଷ୍ମତା ଚକ୍ରକୁ ସୂଚନା କରିବା ପାଇଁ ‘ଏଲ୍ ନିନୋ’ ଶବ୍ଦ ବ୍ୟବହାର କରାଗଲା। ବିଗତ ୧୯୬୦ ଦଶକରେ, ବୈଜ୍ଞାନିକମାନେ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳର ଏହି ବିଚିତ୍ର ଉଷ୍ମୀୟ ଜଳକୁ ବିଷୁବରେଖା ନିକଟବର୍ତ୍ତୀ କେନ୍ଦ୍ରୀୟ ଏବଂ ପୂର୍ବ-କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଅସାଧାରଣ ଉଷ୍ମୀୟ ଜଳ ସହିତ ଜଡିତ କରାଗଲା। ଏବେ ଜଳବାୟୁ ବିଜ୍ଞାନୀମାନେ ଏଲ୍ ନିନୋକୁ ବିଶ୍ୱବ୍ୟାପୀ ପାଣିପାଗ ଏବଂ ଜଳବାୟୁକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ କାରକ ବୋଲି ବିବେଚନା କରୁଛନ୍ତି।
ସୁତରାଂ ଏଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବାଞ୍ଚଳ ଭାଗରେ ସମୁଦ୍ର ଜଳର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ଘଟିବାର ଏକ ପ୍ରାକୃତିକ ଘଟଣା। ସାଧାରଣତଃ ଏହା ପ୍ରତି ଦୁଇରୁ ସାତ ବର୍ଷ ମଧ୍ୟରେ ଥରେ ଘଟିଥାଏ। ଏଲ ନିନୋ ସୃଷ୍ଟି ହେଲେ ବିଶ୍ୱର ବିଭିନ୍ନ ଅଞ୍ଚଳର ପାଣିପାଗ ଗୁରୁତର ଭାବେ ପ୍ରଭାବିତ ହୁଏ। ଏହା ବାୟୁମଣ୍ଡଳରେ ପ୍ରଚୁର ପରିମାଣର ସାମୁଦ୍ରିକ ତାପ ନିର୍ମୁକ୍ତ କରି ବିଶ୍ୱ ତାପମାତ୍ରା ବୃଦ୍ଧି କରେ, ଯାହା ବିଶ୍ୱବ୍ୟାପୀ ଅତି ଚରମ ପାଣିପାଗ ଅବସ୍ଥା ଏବଂ ତାପ ଲହରି ସଷ୍ଟି କରେ। ଭାରତରେ ଏହା ମୌସୁମୀ ବର୍ଷାକୁ ଦୁର୍ବଳ କରିବା ସହ ତାପମାତ୍ରା ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରେ।
ଓଡ଼ିଶା ଉପରେ ପ୍ରଭାବ
ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଅତ୍ୟଧିକ ତାପମାତ୍ରା ପଛରେ ଏଲ୍ ନିନୋର ଏକ ପ୍ରମୁଖ ଭୂମିକା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି। ଏଲ୍ ନିନୋର ପ୍ରଭାବରେ ଭାରତ ତଥା ଆମ ରାଜ୍ୟରେ ଗ୍ରୀଷ୍ମ ଋତୁ ସମୟରେ ତାପମାତ୍ରା ଅଧିକ ବଢ଼ିଯାଏ ଏବଂ ତାପପ୍ରବାହର ଅବଧି ଲମ୍ବା ହୋଇଥାଏ। ଏପରିକି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଏ। ଏହାଦ୍ୱାରା ଜନଜୀବନ ବିପର୍ଯ୍ୟସ୍ତ ହେବା ସାଙ୍ଗକୁ ଜଳସଙ୍କଟ ଦେଖାଦିଏ ଏବଂ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହୁଏ। ଏବେ ବିଶ୍ୱ ତାପନ ଏବଂ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ଏହି ସମସ୍ୟାକୁ ଅଧିକ ଗମ୍ଭୀର କରିଛି। ଜଙ୍ଗଲ ନଷ୍ଟ, ଶିଳ୍ପାୟନ, ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର ଏବଂ ମାତ୍ରାଧିକ ସବୁଜଘର ବାଷ୍ପର ନିର୍ଗମନ ଯୋଗୁ ପୃଥିବୀର ହାରାହାରି ତାପମାତ୍ରା କ୍ରମାଗତ ବଢ଼ୁଛି। ଏହା ସହ ଏଲ୍ ନିନୋର ପ୍ରଭାବ ମିଶି ଓଡ଼ିଶା ଓ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି।
ଭାରତୀୟ ମୌସୁମୀ ଉପରେ ପ୍ରଭାବ
ସାଧାରଣତଃ ଏଲ୍ ନିନୋ ସମୟରେ ଭାରତରେ ମୌସୁମୀ ବୃଷ୍ଟିପାତ ହ୍ରାସ ପାଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ସମୟରେ ଦକ୍ଷିଣ ଆମେରିକାରୁ ପ୍ରବାହିତ ବାଣିଜ୍ୟ ପବନ ସାଧାରଣତଃ ପଶ୍ଚିମ ଦିଗରେ ଏସିଆ ମହଦେଶ ଆଡକୁ ଅଗ୍ରସର ହୁଏ। ଏହି ବାୟୁ ପ୍ରଶାନ୍ତ ମହାସାଗରର ଉପର ଦେଇ ଅତିକ୍ରମ କରିବା ସମୟରେ ସମୁଦ୍ର ଜଳରୁ ଯଥେଷ୍ଟ ଉଷ୍ଣତା ଗ୍ରହଣ କରି ଦୁର୍ବଳ ହୋଇଯାଏ। ଏହାଦ୍ୱାରା ପବନର ଆର୍ଦ୍ରତା ଏବଂ ତାପମାତ୍ରା ଯଥେଷ୍ଟ ହ୍ରାସ ପାଏ, ଯାହା ଫଳରେ ଭାରତୀୟ ଉପମହାଦେଶରେ ବର୍ଷାର ହ୍ରାସ ଏବଂ ବୃଷ୍ଟିପାତରେ ଅସମାନ ବଣ୍ଟନ ପରିଲକ୍ଷିତ ହୁଏ। ଏହା ଭାରତରେ ବ୍ୟାପକ ମରୁଡ଼ି ଏବଂ ଦୁର୍ଭିକ୍ଷ ସୃଷ୍ଟି କରେ। ଭାରତରେ ୧୮୭୧ ମସିହା ପରଠାରୁ ପ୍ରମୁଖ ମରୁଡ଼ିଗୁଡିକ ମଧ୍ୟରୁ କେବଳ ୬ଟି ଏଲ୍ ନିନୋ ଯୋଗୁ ବୋଲି ବିବେଚନା କରାଯାଇଛି, ଯାହା ମଧ୍ୟରେ ନିକଟ ଅତୀତର ୨୦୦୨ ଏବଂ ୨୦୦୯ ବର୍ଷର ମରୁଡ଼ିମାନ ଅନ୍ତର୍ଭୁକ୍ତ। ବିଗତ ୧୮୮୦ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ୧୩୫ ବର୍ଷର ପାଣିପାଗ ବିବରଣୀରୁ ଜଣାଯାଏ ଯେ, ବିଗତ ଏଲ୍ ନିନୋ ବର୍ଷଗୁଡିକ ମଧ୍ୟରୁ ପ୍ରାୟ ୯୦% ବର୍ଷ ସାଧାରଣଠାରୁ ସ୍ବଳ୍ପ ବୃଷ୍ଟିପାତ ପ୍ରବଣ ପାଲଟିଥିଲାବେଳେ ୬୫% ବର୍ଷରେ ଘୋର ମରୁଡ଼ି ପରିଲକ୍ଷିତ ହୋଇଛି। ସୁତରାଂ ଏହା ସ୍ପଷ୍ଟ ଯେ, ଏଲ୍ ନିନୋ ଭାରତୀୟ କୃଷିର ମୂଳାଧାର ମୌସୁମୀବାୟୁକୁ ଦୁର୍ବଳ କରି ଜଳବାୟୁ ଏବଂ ପାଣିପାଗ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହାର ଫଳସ୍ବରୂପ, ଦେଶର ଫସଲ ଉତ୍ପାଦନ ଏବଂ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥାଏ। (କ୍ରମଶଃ…)
ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ: ୮୯୧୭୬୩୭୯୭୪