Categories: ଖେଳ

ହାର୍ଦ୍ଦିକଙ୍କ ଅସନ୍ତୋଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ପ୍ରଶଂସକଙ୍କ ସହ ଉଭୟ ଟିମ୍‌ ଲାଗି ବହୁତ ନୈରାଶ୍ୟଜନକ ଥିଲା। କାରଣ ଏଥିରେ କେବଳ ବୋଲର୍‌ମାନେ ହିଁ ଖୁସି ହୋଇଥିଲେ।

ଏହି ଟି୨୦ ସିରିଜରେ ଉଭୟ ଟିମ୍‌ ୧୦୦ ରନ୍‌ ହିଁ କରିପାରିଥିଲେ। ଟି୨୦ ମ୍ୟାଚ୍‌ ସତ୍ତ୍ୱେ ମଇଦାନରେ କୌଣସି ଖେଳାଳି ଛକାଟିଏ ମାରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ଭାରତକୁ ଏଠାରେ ୧୦୦ ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଭାରତୀୟ ଟିମ୍‌ ବହୁ କଷ୍ଟରେ ଶେଷ ଓଭରରେ ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା।

ପିଚ୍‌କୁ ନେଇ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଥିଲେ। ମ୍ୟାଚ୍‌ ପରେ ସେ କହିଥିଲେ ଯେ, ‘ସତ କହିବାକୁ ଗଲେ ଏହି ଉଇକେଟ ଚକିତ କରିଥିଲା। ସମସ୍ତ ପିଚ୍‌ରେ ଖେଳିବାକୁ ମୁଁ ପ୍ରସ୍ତୁତ ଥାଏ। ହେଲେ ଏହି ପିଚ୍‌ ଟି୨୦ ପାଇଁ ନ ଥିଲା।’ ହାର୍ଦ୍ଦିକଙ୍କ ଅସନ୍ତୋଷ କାରଣରୁ ଇକାନା ଷ୍ଟାଡିୟମର ପରିଚାଳନା ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପିଚ୍‌ କ୍ୟୁରେଟରଙ୍କୁ ହଟାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

କୌଣସି ଟି୨୦ ମୁକାବିଲାରେ ଏଭଳି ପିଚ୍‌ ବହୁତ କମ୍‌ ଦେଖିବାକୁ ମିଳିଛି। ଇକାନାରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ୍‌ ପାଇଁ ସଂଘର୍ଷ କରିଥିଲେ। ଏପରିକି ଏହି ମ୍ୟାଚ୍‌ ଏକ ରେକର୍ଡ ବି କରିଥିଲା। ମୋଟ ୧୬ ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ରେ ବ୍ୟାଟିଂ କରିଥିଲେ ହେଁ ମାତ୍ର ୧୮୩ ରନ୍‌ କରିଥିଲେ। ଏଥିରେ ମାତ୍ର ୧୪ ଚୌକା ଥିଲା। ଗୋଟିଏ ବି ଛକା ନ ଥିଲା।

Share