ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୮ ଛାତ୍ରୀଛାତ୍ର

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କଲେଜ ଭୁବନେଶ୍ୱରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ୮ଜଣ ଛାତ୍ରୀଛାତ୍ର ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ନାମ ଲେଖାଇଥିବା ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ଏହି ୮ଜଣ ଛାତ୍ରୀଛାତ୍ର କଲେଜରେ ନାମ ଲେଖି ପାଠ ପଢୁଥିବା ବେଳେ ଏହାର ଟେର୍‌ ପାଇ ନ ଥିଲେ କଲେଜ କର୍ତ୍ତୃପକ୍ଷ। ଏହି ଛାତ୍ରୀଛାତ୍ରମାନେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ନାମ ଲେଖାଇଥିଲେ। କଲେଜ ପକ୍ଷରୁ ଯାଞ୍ଚ ବେଳେ ଏହି ୮ ଛାତ୍ରୀଛାତ୍ର ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇଥିବା ଜଣାପଡ଼ିବା ପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ମଙ୍ଗଳବାର ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି। ପୋଲିସ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଏହି ସାର୍ଟିଫିକେଟ୍‌ କେମିତି ହାତେଇଲେ, କିଏ ଏହି ସାର୍ଟିଫିକେଟ୍‌ ଯୋଗାଇଛି ଓ କଲେଜର ଆଉ କେତେଜଣ ଛାତ୍ରୀଛାତ୍ର ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି ଅଧ୍ୟକ୍ଷ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, କିଛି ମାସ ତଳେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଭଳି ଜାଲ୍‌ ସାର୍ଟିଫିକେଟ୍‌ ଘଟଣାରେ ୨୮ଜଣ ଛାତ୍ରୀଛାତ୍ର ଧରାପଡ଼ିଥିଲେ। ଏହାପରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସେଲ୍‌ଫ ଫାଇନାନ୍ସିଂ କଲେଜକୁ ଚିଠି ଲେଖି ସମସ୍ତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଦେଇଥିବା ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ୍‌ ଜାଲ ହୋଇଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ରହିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ। ଏଠାରେ ପିବା ପାଇଁ ବହୁ ମେଧାବୀ ଛାତ୍ରୀଛାତ୍ର ସଂଘର୍ଷ କରୁଥିବାବେଳେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ନାମଲେଖା ଘଟଣା ଅଭିଭାବକଙ୍କୁ ଚକିତ କରିଛି। ଏ ନେଇ କଡ଼ାକଡ଼ି ଯାଞ୍ଚ ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମେଧାବୀ ଛାତ୍ରୀଛାତ୍ର ଓ ଅଭିଭାବକ ଦାବି କରିଛନ୍ତି। ସେପଟେ ବିଜେବି କଲେଜରେ ଚିହ୍ନଟ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସରକାରୀ କର୍ମଚାରୀ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ଜଣାପଡ଼ିଛି।