ଛାତିଥରା…ରାତିରେ କାନ୍ଦୁଥିଲା ୮ ମାସର ଶିଶୁ, ତଣ୍ଟି ଚିପି ମାରିଦେଲେ ମା’

ନୂଆଦିଲ୍ଲୀ,୨୨।୧୦: ମାନବିକତାକୁ ଦୋହଲାଇ ଦେବା ଭଳି ଏକ ହୃଦୟବିଦାରକ ଘଟଣା କେରଳର ପଥନମଥିଟ୍ଟା ଅଞ୍ଚଳରୁ ସାମ୍ନାକୁ ଆସିଛି । ରାତିରେ ଶୋଇଥିବା ସମୟରେ କାନ୍ଦୁଥିବାରୁ ମାତ୍ର ୮ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ପ୍ରାୟ ୩ ବର୍ଷ ପରେ ପୋଲିସ ତଦନ୍ତ କରି ଶିଶୁର ମା’ ମଞ୍ଜିଙ୍କୁ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସିଭନ୍‌ ଓ ତାଙ୍କ ଭାଇ ଶକ୍ତିଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।
ପୋଲିସ ସୂଚନା ଅନୁସାରେ, ୧୨ ଅଗଷ୍ଟ ୨୦୨୩ରେ କେରଳର ବଲାଞ୍ଜାଭଟ୍ଟମ୍‌ ଅଞ୍ଚଳର ଏକ ଜଳାଶୟ ନିକଟସ୍ଥ ଦଳିଆ ଘାସଭରା ସ୍ଥାନରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ପୁଲିକୀଝୁ ପୋଲିସ ଥାନା ଅଞ୍ଚଳରେ ଘଟିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୦୨୩ରେ ମଞ୍ଜିଙ୍କର ତାଙ୍କ ସ୍ୱାମୀ ଇସାକ୍କିଙ୍କ ସହ ମନୋମାଳିନ୍ୟ ହୋଇଥିଲା। ଏହାପରେ ସେ ନିଜର ୮ ମାସର ଝିଅକୁ ଧରି ଆଲାପ୍ପୁଝା ଚାଲିଯାଇଥିଲେ। ସେଠାରେ କାଲାରକୋଡ୍‌ ଅଞ୍ଚଳର ଏକ ଦୋକାନରେ ତାଙ୍କର ସିଭନ୍‌ ନାମକ ବ୍ୟକ୍ତିଙ୍କ ସହ ପରିଚୟ ହୋଇଥିଲା। ସିଭନ୍‌ ତାଙ୍କର ଯତ୍ନ ନେବାକୁ କହି ମଞ୍ଜିଙ୍କୁ ଚଙ୍ଗନାସେରୀ ନେଇଯାଇଥିଲେ। ସେଠାରେ ସେମାନେ ଏକ ଦୋକାନର ବାରଣ୍ଡାରେ ରହୁଥିଲେ।

ଅଭିଯୋଗ ଅନୁସାରେ, ୨୦୨୩ ଅଗଷ୍ଟର ଏକ ରାତିରେ ଶିଶୁକନ୍ୟା ଶୋଇଥିବା ବେଳେ କାନ୍ଦିବାକୁ ଲାଗିଥିଲା। ଏଥିରେ ରାଗିଯାଇ ସିଭନ୍‌ ଶିଶୁଟିର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ସିଭନ୍‌ ଓ ମଞ୍ଜି ତାଙ୍କ ଭାଇ ଶକ୍ତିଙ୍କ ସହାୟତାରେ ଶିଶୁର ମୃତଦେହକୁ ବଲାଞ୍ଜାଭଟ୍ଟମ୍‌ର ଏକ ଅଳିଆ ଅଞ୍ଚଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଘଟଣାର ପ୍ରାୟ ୩ ବର୍ଷ ପରେ ମଞ୍ଜି ପଲକ୍କଡ୍‌ସ୍ଥିତ ନିଜ କଲୋନୀକୁ ଶିଶୁ ବିନା ଫେରିଥିଲେ । ଏହା ଦେଖି କଲୋନୀର ପ୍ରମୋଟର ଶିଶୁ ବିଷୟରେ ପଚାରିଥିଲେ । ମଞ୍ଜି ଏହାର ସ୍ପଷ୍ଟ ଉତ୍ତର ଦେଇପାରିନଥିବାରୁ ପ୍ରମୋଟର ପୋଲିସକୁ ସୂଚନା ଦେଇଥିଲେ।ଏହାପରେ ପୋଲିସ ମଞ୍ଜିଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ସମୟରେ ସେ ଅପରାଧ ସମ୍ପର୍କରେ ସ୍ୱୀକାରୋକ୍ତି ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

Dharitri – Odisha’s No.1 Odia Daily

Share