ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ ରାଇପୁରର ଚେରି ଖେଡି ନିକଟରେ ଗୋଟିଏ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ତେଲିବାନ୍ଧା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ଓ ଆହତଙ୍କୁ ଉଦ୍ଧାର କରି ରାୟପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ରାୟପୁରର ଏସ୍‌ଏସ୍‌ପି ଅଜୟ ଯାଦବ କହିଛନ୍ତି, ଓଡ଼ିଶାର ଗଞ୍ଜାମରୁ ଗୁଜରାଟ ସୁରତ ଅଭିମୁଖେ ଯାଉଥିବା ଏକ ବସ୍‌ ରାୟପୁର ଚେରି ଖେଡି ନିକଟରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଲୋକଙ୍କୁ ମୃତ୍ୟୁ ହୋଇଛି। ୭ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି।
ଭୟଙ୍କର ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ଜଣ ଶ୍ରମିକଙ୍କ ପରିବାରକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ରାୟପୁର ଯାଇ ସେଠାରେ ଆହତଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାକୁ କହିଛନ୍ତି।

Share