ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଣ୍ଡା ଖାଆନ୍ତି, ତେବେ ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ ଶକ୍ତି ବଢ଼ାଇବାରେ ଅଣ୍ଡାର ଭୂମିକା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଅଣ୍ଡାରେ ଲ୍ୟୁଟିନ୍‌ ଏବଂ ଜେକ୍ସାଥିନ୍‌ ନାମକ ଦୁଇଟି ତତ୍ତ୍ୱ ରହିଛି, ଯାହା ସ୍ମରଣ ଶକ୍ତିକୁ ଆହୁରି ସକ୍ରିୟ କରିଥାଏ।