ଲୋଇସିଂହା ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବଲାଙ୍ଗୀର ଅଫିସ, ୧୪।୧୨: ବଲାଙ୍ଗୀର ଜିଲା ପୁଇଁତଲା ମଣ୍ଡି(ପାକ୍ସ) ପରିଦର୍ଶନରେ ଯିବାବେଳେ ମଙ୍ଗଳବାର ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଛି। କେତେଜଣ ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ନେଇ ପୁଇଁତଲା ଥାନାରେ ଅଭିଯୋଗ ହୋଇଛି। ବିଜେଡି କର୍ମୀଙ୍କ ମାଡରେ ୨ଜଣ ଭାଜପା କର୍ମୀ ଆହତ ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ୪ ଜଣ ବିଜେଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତ ବିଜେଡି କର୍ମୀ ପୁଇଁତଳା ପାକ୍ସ ସଭାପତି ସୁରେଶ ନାଏକ ଓ ବିଷ୍ଣୁ ପଟେଲଙ୍କୁ ପୋଲିସ ଅଟକ ରଖିଛି। ଅନ୍ୟ ଦୁଇଜଣ ଭାଗୀରଥି ସେଠ୍‌ ଓ ଜ୍ଞାନ ଷଡଙ୍ଗୀ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
ଏହି ଘଟଣାକୁ ନେଇ ବିଧାୟକ ମହାଲିଙ୍ଗ ଏକ ଖବରଦାତା ସମ୍ମିଳନୀ ଡାକି ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଭାଜପା କର୍ମୀଙ୍କୁ ମାଡ ଏବଂ ତାଙ୍କୁ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାରୁ ଚାଷୀଙ୍କୁ ଧାନ ଲୁଟ୍‌ ପ୍ରକ୍ରିୟାରେ ବିଜେଡି ସରକାର ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ମଣ୍ଡିରେ କୁଇଣ୍ଟାଲ ପିଛା ୪ରୁ ୮ କେଜି କଟନି ଛଟନି କରାଯାଉଥିବା, ମଣ୍ଡି ହ୍ୟାଣ୍ଡିଲିଂ ମିଲର୍ସମାନେ କରୁଥିବା, ବସ୍ତା ଓ ସୁତଲି ଟଙ୍କା ଚାଷୀଙ୍କ ଲୁଟ୍‌ କରାଯାଉଥିବା ଅଭିଯୋଗ କରିଛନ୍ତି। ଏହି ସବୁ ଘଟଣାରେ ବିଜେଡି କର୍ମୀ, ନେତା, ମିଲର୍ସ ଏବଂ ସରକାରୀ ବାବୁମାନେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି। ଜଣେ ବିଧାୟକ ମଣ୍ଡି ପରିଦର୍ଶନରେ ଯିବାବେଳେ ବିଜେଡି କର୍ମୀମାନେ ତାଙ୍କୁ ଅଟକାଇବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ଅଣ୍ଡା ମାଡ କରିବା ଏବଂ ଭାଜପା କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ ମାରିବା ସରକାରୀ ଦଳର ଗୁଣ୍ଡାଗର୍ଦ୍ଦିକୁ ଏବଂ ଧାନକିଣା ଲୁଟ୍‌ ପ୍ରକ୍ରିୟାରେ ସାମିଲକୁ ପଦାରେ ପକାଇଛି ବୋଲି ସେ କହିଛନ୍ତି। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ଅନନ୍ତ ଦାଶ, ସମିତି ସଭ୍ୟ ରାଜକିଶୋର ନାଏକ ଉପସ୍ଥିତ ଥିଲେ।