ପରମ୍ପରା ବଞ୍ଚାଇବାକୁ ପ୍ରୟାସ

ଢେଙ୍କାନାଳ ଅଫିସ, ୨୮।୧୦ – ଦଶହରା ପରେ ଲକ୍ଷ୍ମୀପୂଜା ଉପରେ ଢାଙ୍କିଛି କରୋନା କଳାବାଦଲ। ପାର୍ବଣର ଅନ୍ୟତମ ପ୍ରମୁଖ ଉତ୍ସବକୁ ନେଇ ଚଳିତବର୍ଷ ନାହିଁ ଉତ୍ସାହ କି ଉଦ୍ଦୀପନା। କରୋନା ସଂକ୍ରମଣ କାରଣରୁ ଢେଙ୍କାନାଳର ଗଣପର୍ବ ଚଳିତବର୍ଷ ଭକ୍ତଶୂନ୍ୟ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଫଳରେ କେବଳ ବିଧିରକ୍ଷା ସହିତ ପରମ୍ପରା ବଞ୍ଚାଇବାକୁ ୩୮ ପୂଜା ମଣ୍ଡପର କର୍ମକର୍ତ୍ତା ପ୍ରୟାସ ଜାରି ରଖିଛନ୍ତି।
ଆସନ୍ତା ୩୦ ତାରିଖ ରାତିରୁ ଧରାବତରଣ କରିବେ ଧନର ଦେବୀ ମା’ ଲକ୍ଷ୍ମୀ। ୮ ତାରିଖ ଯାଏ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ୯ ତାରିଖରେ ନିରାଡମ୍ବର ଭାବେ ମା’ ମେଲାଣି ନେବେ ବୋଲି ନିଷ୍ପତ୍ତି ହୋଇଛି। ମୂର୍ତ୍ତି ୪ ଫୁଟରେ ସୀମିତ ରହିବ। ମଣ୍ଡପରେ ପୂଜା ସମୟରେ ୭ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ। ସମସ୍ତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ସର୍ବସାଧାରଣଙ୍କ ଦର୍ଶନ ଉପରେ ମିଳିତ ପୂଜା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କଟକଣା ଜାରି କରାଯାଇଛି। ଉଠା ଦୋକାନୀ ସମେତ ବାହାରୁ ଆସୁଥିବା ବ୍ୟବସାୟୀଙ୍କ ଖାଦ୍ୟପାନୀୟ ଷ୍ଟଲଗୁଡିକୁ ମଧ୍ୟ ବାରଣ କରାଯାଇଛି। ନିୟମ ଜଗିବାକୁ ପ୍ରତି ମଣ୍ଡପରେ ପୋଲିସ ମୁତୟନ ହେବେ।
ଢେଙ୍କାନାଳର ବିଶ୍ୱପ୍ରସିଦ୍ଧ ଲକ୍ଷ୍ମୀପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପାଖାପାଖି ୮୦ବର୍ଷ ଧରି ପ୍ରତିଯୋଗିତାମୂଳକ ଭାବେ ପୂଜା ଆୟୋଜନ ହୋଇ ଆସୁଥିଲା। ହେଲେ ଚଳିତ ବର୍ଷ କରୋନା ଏହାକୁ ପାଣିଚିଆ କରିଦେଇଛି। ମା’ଙ୍କ ଆବାହନର ଯଥେଷ୍ଟ ପୂର୍ବରୁ ସହର ନବବଧୂ ଭଳି ସଜେଇ ହେଉଥିବାବେଳେ ଚଳିତବର୍ଷ ଶ୍ରୀହୀନ ଦିଶୁଛି ପରିବେଶ। କରୋନା କଟକଣା ଭିତରେ ପୂଜାର୍ଚ୍ଚନା ହେଉଥିବାରୁ କୌଣସି ସାଜସଜ୍ଜା ହୋଇନାହିଁ। ଅନ୍ୟପଟେ ଶିଳ୍ପୀମାନେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଶେଷସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ପୂଜାକୁ ମଝିରେ ୨ ଦିନ ଥିବାବେଳେ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।

କଡ଼ାକଡ଼ି ପାଳନ ହେବ କଟକଣା
କୋଭିଡ୍‌ କଟକଣାକୁ ସମ୍ମାନ ଜଣାଇ ନିରାଡମ୍ବର ଭାବେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ସମସ୍ତ ନିୟମକୁ ପୂଜା ଅନୁଷ୍ଠାନର କର୍ମକର୍ତ୍ତାମାନେ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ୩୦ ତାରିଖ ରାତିରୁ ପୂଜା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୯ରେ ଭସାଣି ହେବ।
-ବିଶ୍ୱନାଥ ବେହେରା, ମିଳିତ ବଜାର ପୂଜା କମିଟି ସଭାପତି