ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ

ଦେବଗଡ଼, ୨୩।୪: (ଡି.ଏନ୍‌.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା ପଛରେ ରହୁଥିବାରୁ ସାମୂହିକ ସ୍ବାର୍ଥକଥା ଭୂଲି ଯାଉଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ସବୁ ଦଳର ନେତା ତତ୍ପର ହୋଇଉଠିଲେଣି। ତଳସ୍ତରରେ ଲୋକଙ୍କ କାମ କରି, ସଙ୍ଗଠନ କରି ଟିକେଟ ଆଣିବା ଅପେକ୍ଷା ଟଙ୍କା ବଦଳରେ ଟିକେଟ ହାତେଇବାକୁ ଉଦ୍ୟମ ଆରମ୍ଭ କଲେଣି। ସେମାନେ ଭାବୁଛନ୍ତି ଉପରସ୍ତରରେ ଟଙ୍କା ଦେଲେ ଟିକଟ ମିଳିବ। ଯଦି ନିଜ ଦଳରୁ ଟିକେଟ ନ ମିଳେ ତେବେ ଟଙ୍କା ଦେଇ ଅନ୍ୟ ଦଳରୁ ଟିକେଟ ହାତେଇବାକୁ ମଧ୍ୟ ଯୋଜନା କରୁଥିବା କୁହାଯାଉଛି। ଯଦି ଏଭଳି ନେତା ବା ନେତ୍ରୀ ରହିବେ ତେବେ ଦଳର ସଙ୍ଗଠନ ଦୃବଳ ହେବା ସହ ଏମାନେ ଯଦି ଜିତି ଯାଆନ୍ତି ତେବେ ଜିଲାର କିଭଳି ବିକାଶ ହେବ ତାହା ବିଚାର କରିବାର ବିଷୟ। ଏଠି ନେତା, ନେତ୍ରୀ ଠିକ ନାହାନ୍ତି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଦେବଗଡ଼ ଜିଲାରେ କେତେଜଣ ନେତା, ନେତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଲମ୍ବା ଭାଷଣ ଦେଇ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। ଏହା ଦ୍ୱାରା ସେମାନେ ବିଧାୟକ ହୋଇଯିବେ ବୋଲି ସ୍ବପ୍ନ ଦେଖୁଛନ୍ତି। ଆଉ କେତେଜଣ ବଡ ଦାମିକା ଗାଡି ଆଣି କିଛି ଠିକାଦାର, କର୍ମୀଙ୍କୁ ମଦ ମାଂସ ଖାଇବାକୁ ଦେଇ ଜନସାଧାରଣଙ୍କୁ ଆକୃଷ୍ଟ କରିବେ ବୋଲି ଭାବୁଛନ୍ତି। ଆଉ କେତେକ ନେତା ନେତ୍ରୀ ଅଛନ୍ତି ସେମାନେ ନିଜେ ନିଜକୁ ଜ୍ଞାନୀ, ଧନୀ ବୋଲି ପ୍ରଚାର କରୁଛନ୍ତି। ଆତ୍ମଘୋଷିତ ଧନୀ, ଜ୍ଞାନୀ ବୋଲାଉଥିବା ଏହି ନେତା ଟିକେଟ ପାଇବେ ବୋଲି ଆଶା କରିଛନ୍ତି। ଆଉ କେତେଜଣ ନେତା ବଡବଡ଼ିଆ ନେତାଙ୍କ ସହ ସେଲ୍ଫି ଫଟୋ ଉଠାଇ ଟିକେଟ ନେଇଯିବେ ବୋଲି ଆଶା କରିଛନ୍ତି। ପାଓ୍ବାର ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଟଙ୍କା ଦେଇ ଟିକେଟ ହାେଇଇବାକୁ ଆଶା କରିଥିବା ନେତା, ନେତ୍ରୀ ଭୋଟରଙ୍କୁ ଟଙ୍କା ଦେଇ ମଧ୍ୟ ଭୋଟ ନେଇଯିବାର ଚିନ୍ତାରେ ଅଛନ୍ତି। ଭୋଟରଙ୍କୁ ମଧ୍ୟ ମାନିବାକୁ ପଡ଼ିବ। କିଛି ନିର୍ଦ୍ଦିଷ୍ଟ ଭୋଟର ଆଜି ଗୋଟିଏ ଦଳରେ ତ କାଲି ଆଉ ଗୋଟିଏ ଦଳରେ। ଟଙ୍କା ଯେଉଁଠି ଯେତେବେଳେ ମିଳୁଛି ସେଇଠି ପହଞ୍ଚି ଯାଉଛନ୍ତି। ଆଜିକାଲି ଭଲ ନେତା କାହାରି ଦରକାର ନାହିଁ। ଆଜିକାଲି ଦରକାର ଟଙ୍କା। ବର୍ତ୍ତମାନ ସମୟ ଆସିଛି। ସମସ୍ତେ ସଚେତନ ହେବା ଆବଶ୍ୟକ। ଦେଖାଯାଉ ଆଗକୁ ବିଧାନସଭା ନିର୍ବାଚନରେ କିଏ କେଉଁ ଦଳରୁ ଟିକେଟ ପାଉଛନ୍ତି। ଜିତିବାର କିଭଳି କୌଶଳ ଅବଲମ୍ବନ କରୁଛନ୍ତି।