କରୋନା ଜାତୀୟ ସଙ୍କଟ ସମୟରେ ଜୀବନ ବଞ୍ଚାଇବା ଉଦ୍ୟମ ହେବା ଆବଶ୍ୟକ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ, କରୋନା ଦେଶରେ ଜାତୀୟ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଜୀବନ ବଞ୍ଚାଇବା ଉଦ୍ୟମ କରାଯିବା ଆବଶ୍ୟକ। ବେଦାନ୍ତ ପକ୍ଷରୁ ତାମିଲନାଡୁର ଟୁଟିକୋରିନ୍‌ରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଖୋଲିବା ଲାଗି କରାଯାଇଥିବା ଏକ ଆବେଦନର ବିଚାର କରି ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଖୋଲିବା ନେଇ କୌଣସି ରାଜନୈତିକ ବାଧା ସୃଷ୍ଟି ହେବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ବେଦାନ୍ତର ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପୁଣି ଖୋଲାଯିବାକୁ ନେଇ ତାମିଲନାଡୁ ସରକାର ସହମତି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ପ୍ଲାଣ୍ଟ୍‌ରୁ ପ୍ରଥମେ ଅକ୍ସିଜନ୍‌ ନେବାକୁ କହିବାରୁ ଏହାର ଉତ୍ତରରେ କୋର୍ଟ କହିଛନ୍ତି ଯେ, ତାମିଲନାଡୁରେ ପର୍ଯ୍ୟାପ୍ତ ଅକ୍ସିଜେନ୍‌ ରହିଛି। ପ୍ଲାଣ୍ଟ୍‌ରୁ କାହାକୁ ଅକ୍ସିଜେନ୍‌ ପ୍ରଦାନ କରାଯିବ ତାହାର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଜାତୀୟ ସଙ୍କଟ ସମୟରେ ମିଳିତ ପ୍ରୟାସ ଅପରିହାର୍ଯ୍ୟ ବୋଲି କୋର୍ଟ କହିଛନ୍ତି।

Share