Categories: ଫୁରସତ

ସବୁଜ ପୃଥିବୀ ଲାଗି ପ୍ରୟାସ

ଦିନକୁ ଦିନ ପୃଥିବୀରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ପରିବେଶଜନିତ ନାନା ସମସ୍ୟା ଲାଗି ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏମିତି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ କମାଳସିଂ ଗ୍ରାମର ଅମିତା ତରେଇ। ସେ କୁହନ୍ତି, ସ୍କୁଲ୍‌ ବୟସରୁ ବିଭିନ୍ନ ଚାରା ରୋପଣ କରିବା ମୋର ଅଭ୍ୟାସ ଥିଲା। ମୋ ବାପଘର କମାଳସିଂ ଓ ଶାଶୁଘର ଝାରକଟା। ଏହି ଗାଁର ସ୍କୁଲ ପରିସର, ମଠ, ଗ୍ରାମ୍ୟପାର୍କ ଓ ରାସ୍ତାକଡ଼ ଆଦି କେତେକ ସ୍ଥାନରେ ବର୍ଷାଦିନେ ନିମ୍ବ, ବେଲ, ଅଁଳା, ହରିଡ଼ା, ବାହାଡ଼ା, ଅର୍ଜୁନ, କଦମ, ବାଦାମ, ଆମ୍ବ, ଲେମ୍ବୁ, ପଣସ, ବଉଳକୋଳି ଆଦି ଗଛ ଲଗାଇଥିଲି। ୨୦୧୯ ମସିହାରେ ଆମ ଅଞ୍ଚଳରେ ଗଠନ ହୋଇଥିବା ଗ୍ରୀନ୍‌ ପାରିକୁଦ ସଂଗଠନରେ ବି ଯୋଗଦେଇଥିଲି। ସେବେଠାରୁ ପ୍ରତିଦିନ ଦୁଇଘଣ୍ଟା ସମୟ ଦେଇ ଲଗାଇଥିବା ବୃକ୍ଷର ଯତ୍ନ ପାଇଁ କିଛି କିଛି ପରିଶ୍ରମ କରୁଛି। ଗତ ୫ ବର୍ଷ ଭିତରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନରେ ମିଶି ବହୁ ସଂଖ୍ୟକ ବିଭିନ୍ନ ପ୍ରକାରର ବୃକ୍ଷ ଏବଂ ୨୫ ହଜାର ତାଳଗୋଟମା ପୋତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷେ କାହାରି ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ, ବିଭିନ୍ନ ପର୍ବପର୍ବାଣି, ମହାପୁରୁଷଙ୍କ ଜନ୍ମଦିବସ ଅବସରରେ ବି ବୃକ୍ଷ ରୋପଣ କରିବା ପାଇଁ ଲୋକମାନଙ୍କୁ କହିଥାଏ। ଏକାଧିକଥର ମାଗଣା ରକ୍ତଦାନ ଶିବିରେ ଯୋଗଦେଇ ରକ୍ତ ଦାନ ମଧ୍ୟ କରିଛି। ଆମ ବ୍ଲକ ମିଶନ ଶକ୍ତିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଛି। ଏଭଳି ପରିବେଶ ସୁରକ୍ଷା ଏବଂ ସାମାଜିକ କାର୍ଯ୍ୟ ପାଇଁ ସବୁଜ ବାହିନୀ ବ୍ରହ୍ମପୁର, ଶୁଭଚିନ୍ତକ ଟ୍ରଷ୍ଟ ବ୍ରହ୍ମପୁରରୁ କର୍ମବୀର ସମ୍ମାନ, ବିପଦର ବନ୍ଧୁ ଓଡ଼ଶା ତରଫରୁ ବିପଦରବନ୍ଧୁ ସମ୍ମାନ, କ୍ରିଷ୍ଣାଫାଉଣ୍ଡେସନ କଟକରୁ କୃଷିମିତ୍ର, ଭାରତ ବିକାଶ ଅଭିଯାନ ତରଫରୁ ସମ୍ମାନ, ଆଶାର ଆଲୋକ ସଂସ୍ଥା ବାଲେଶ୍ୱରରୁ ସେବା ସମ୍ମାନ, ସୃଜନୀ ସାତପଡ଼ାରୁ ସୃଜନୀ ସମ୍ମାନ, କୃଷ୍ଣ ପ୍ରସାଦ ବ୍ଲକ ତରଫରୁ ମିଶନଶକ୍ତି କାର୍ଯ୍ୟ ପାଇଁ ସମ୍ମାନିତ ଓ ପ୍ରଶଂସିତ ହୋଇପାରିଛି। ଏଥିରେ ମୋତେ ମାନସିକ ଶାନ୍ତି ମିଳିପାରୁଛ।
-କୈଳାସ ପଟ୍ଟନାୟକ

Share