‘ପ୍ରୟାସ ପ୍ରଶଂସନୀୟ’

ରାସୋଳ, ୧୫।୪(ଡି.ଏନ୍‌.ଏ.) କଳା, ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଲୋକକଳା, ଲୋକନୃତ୍ୟକୁ ବଞ୍ଚାଇ ରଖିବାରେ ଏହି ଜିଲାର କଳାକାରମାନେ ଅହରହ ଉଦ୍ୟମ କରି ଆସୁଛନ୍ତି। ପୁରାତନ ପରମ୍ପରାକୁ ବଞ୍ଚାଇବାରେ ଏଭଳି ପ୍ରୟାସ ପ୍ରଶଂସନୀୟ ବୋଲି ୧୭ତମ ‘ରାସୋଳ ମହୋତ୍ସବ’ରେ ଯୋଗଦେଇଥିବା ଅତିଥିମାନେ କହିଛନ୍ତି। କୋଭିଡ୍‌ ମହାମାରୀ ପାଇଁ ୨ବର୍ଷ ଧରି ବନ୍ଦ ରହିବା ପରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରଥମ ସନ୍ଧ୍ୟାରୁ କଳାକାରଙ୍କ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି।
ରାସୋଳ ମହୋତ୍ସବ ସମିତି ଦ୍ୱାରା ସ୍ଥାନୀୟ ଖେଳପଡ଼ିଆରେ ୩ଦିନ ଧରି ଆୟୋଜିତ ହେଉଛି ଏହି ମହୋତ୍ସବ। ଏଥିଲାଗି ବ୍ୟାପକ ଆୟୋଜନ କରାଯାଇଛି। ୧୭ ତାରିଖରେ ଏହାର ଉଦ୍‌ଯାପନୀ ସମାରୋହ ରହିଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ମୁଖ୍ୟବକ୍ତା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉଦ୍‌ଘାଟକ ତଥା ବିଶିଷ୍ଟ ଅତିଥି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟା ନମିତା ନାୟକ ପ୍ରମୁଖ ମଞ୍ଚାସୀନ ରହି ଜିଲାର ଗଡ଼ଜାତ ଆନ୍ଦୋଳନ, କଳାସଂସ୍କୃତିର ସମୃଦ୍ଧ ପରମ୍ପରା ସମ୍ପର୍କରେ ମତ ରଖିଥିଲେ। ଏହି ଉପଲକ୍ଷେ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘ଶ୍ୱେତପଦ୍ମା’ ଉନ୍ମୋଚିତ ହୋଇଥିଲା।
ମହୋତ୍ସବ ଉପଲକ୍ଷେ ଗ୍ରାମର ମାନସିକଧାରୀ ଦଣ୍ଡୁଆମାନେ ଦକ୍ଷିଣକାଳୀ ମନ୍ଦିର ନିକଟରେ ଝାମୁ ନିଅଁାରେ ଚାଲି ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ଠାକୁରାଣୀଙ୍କ ଚଳନ୍ତି ପ୍ରତିମାକୁ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯିବାପରେ ମହୋତ୍ସବ ମଞ୍ଚକୁ ଅଣାଯାଇଥିଲା। ସେଠାରେ ଦଣ୍ଡୁଆମାନେ ପାରମ୍ପରିକ ଦଣ୍ଡନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ପାଇକ ଆଖଡ଼ା ଦେଖିବାକୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା। ପରେ ପାଇକମାନେ ସ୍ଥାନୀୟ ଡାକବଙ୍ଗଳା ପରିସରରୁ ଅତିଥିମାନଙ୍କୁ ପାଛୋଟି ନେଇଥିଲେ। ଏହାପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ମହେଶ୍ୱର ନାଏକ, ଭାସ୍କର ଚନ୍ଦ୍ର ନାୟକ, ପଠାଣି ନାୟକ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଥାନାଧିକାରୀ ବିଜୟ କୁମାର ହାଇବ୍ରୁଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ କରାଯାଇଛି।