ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମଙ୍ଗଳବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରଦର୍ଶନୀରେ ମହାବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ବର୍ଷର ବି.ଏଡ. (B.Ed) ଗୁରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ବିଷୟଭିତ୍ତିକ ଶିକ୍ଷଣ ସାମଗ୍ରୀ (TLM) ଗୁଡ଼ିକୁ ପ୍ରଦର୍ଶିତ କରିଥିଲେ। ଶିକ୍ଷାଦାନକୁ କିଭଳି ଅଧିକ ସହଜ ଓ ଆମୋଦଦାୟକ କରାଯାଇପାରିବ, ତାହା ଏହି ସାମଗ୍ରୀଗୁଡ଼ିକ ମାଧ୍ୟମରେ ଦର୍ଶାଯାଇଥିଲା।
ଭଞ୍ଜନଗରର ୪ଟି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୪ ଜଣ ଅଭିଜ୍ଞ ଶିକ୍ଷକ ଏହି ପ୍ରଦର୍ଶନୀରେ ବିଚାରକ ଭାବେ ଯୋଗ ଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ମୂଲ୍ୟାୟନ କରିବା ସହ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ପରିଚାଳକ ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ ଏବଂ ସହକାରୀ ପ୍ରଫେସର ଶ୍ରୀହର୍ଷ ବାଲା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟର ଅନ୍ୟ ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଡକ୍ଟର ସତ୍ୟବାଦୀ ମାର୍ଥା, ଡକ୍ଟର ବାବୁରାମ ପାଣି, କେ. ପ୍ରକାଶ ରେଡ଼ି, ଅମିତ୍ ମିସାଲ, ସସ୍ମିତା ବେହେରା, ଅଶ୍ୱିନ କୁମାର ସାହୁ, ଅକ୍ଷୟ କୁମାର ସେଠୀ, ଓ ବନଲତା ସାମଲ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସ୍ଥାନୀୟ ସରକାରୀ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀ ମାଧ୍ୟମରେ ସେମାନେ ବିଭିନ୍ନ ଜଟିଳ ବିଷୟକୁ ସହଜରେ ବୁଝିବାର ଶୈକ୍ଷିକ ମାର୍ଗଦର୍ଶନ ଲାଭ କରିଥିବା ଜଣାପଡ଼ିଛି।

