୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ

ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ରବିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।

ଏହି ରିପୋର୍ଟରେ ସେ କହିଛନ୍ତି, ପୂର୍ବରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି। ମାତ୍ର ପାକିସ୍ତାନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଏହା କେବେ ବି ଦେଖି ନ ଥିଲି। ଏହି ବନ୍ୟା ଯୋଗୁ ଦେଶର ପ୍ରାୟ ୩୫ ଲକ୍ଷ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି। ଯାହାକି ଅତ୍ୟନ୍ତ ଦୁଃଖଦାୟକ। ପାଣି କମିବାକୁ ଅତି କମ୍‌ରେ ୬ ମାସ ଲାଗିବ। ବନ୍ୟା ଯୋଗୁ ୧.୫ ମିଲିୟନରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଛି।

ଦେଶର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ପାକିସ୍ତାନରେ ଘଟିଥିବା ଭୟଙ୍କର ବନ୍ୟାରେ ଜୁନ୍‌ ୧୪ରୁ ଅଦ୍ୟାବଧି ୧,୩୯୧ ଜଣ ପ୍ରାଣ ହରାଇ ସାରିଲେଣି।

Share