ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ ପାଖରେ ସମୟ ନାହିଁ। ଏହି ପାଣିଭିଜା ନୋଟ୍‌ବୁକ୍‌ ଦେଖି ଆମକୁ ପ୍ରାକ୍ଟିକାଲ୍‌ରେ ମାର୍କ ଦିଅନ୍ତୁ। ଜଣେ ବନ୍ୟା ବିପନ୍ନ ଛାତ୍ରୀଙ୍କ ଏହି କୋହଭରା ନିବେଦନ ଏବେ ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି। ଯେଉଁ ବୟସରେ ହାତରେ ଖାତା, ବହି ଓ କଲମ ଧରି ଭବିଷ୍ୟତ ଗଢ଼ିବାର ସ୍ବପ୍ନ ଦେଖିବା କଥା, ସେହି ବୟସରେ ଆଜି ହାତରେ ଅଛି ପାଣି ଓ କାଦୁଅ। ଆଖିରେ ଅସୁମାରୀ ଲୁହ, ମନରେ ଅସରନ୍ତି ଦୁଃଖ। ବନ୍ୟା କେବଳ ଘରଦ୍ୱାର ଓ ଜୀବନଜୀବିକା ଉଜାଡ଼ି ଦେଇନାହିଁ, ବରଂ କୁନି କୁନି ପିଲାଙ୍କ ପାଠପଢ଼ାର ସ୍ବପ୍ନକୁ ମଧ୍ୟ ଛଡ଼ାଇ ନେଇଛି।

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ନଦୀପଦର ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ। ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଅନେକ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି। ହେଲେ ଏହି ବିପତ୍ତିର ସବୁଠାରୁ ଯନ୍ତ୍ରଣାଦାୟକ ଚିତ୍ର ହେଉଛି ଶିଶୁଙ୍କ ଶିକ୍ଷାଜୀବନ ଉଜୁଡ଼ିଯିବା।

ନ ଖାଇ ନ ଶୋଇ ଦିନରାତି ପରିଶ୍ରମ କରି ପିଲାମାନେ ଯେଉଁ ପାଠପଢ଼ା ସାମଗ୍ରୀ ସାଇତି ରଖିଥିଲେ, ସବୁକିଛି ବନ୍ୟା ପାଣି ଧୋଇନେଇଛି। କାହାର ବହି ପାଣିରେ ଭାସିଯାଇଛି ତ କାହାର ଖାତା, ସ୍କୁଲ ବ୍ୟାଗ ଓ ପୋଷାକ କାଦୁଅରେ ମିଶିଯାଇଛି। କିଏ ପାଣି ଭିତରେ ତ ଆଉ କିଏ ଘରେ ଜମି ରହିଥିବା କାଦୁଅ ଭିତରେ ନିଜର ହଜିଯାଇଥିବା ପାଠପଢ଼ା ସାମଗ୍ରୀ ଖୋଜୁଛି। ଆଉ କେହି ଓଦା ବହି ଓ ଖାତାକୁ ପାଣିରୁ ଉଦ୍ଧାର କରି ଖରାରେ ଶୁଖାଉଛି। ଆଖି ଆଗରେ ବର୍ଷକର ପରିଶ୍ରମ ନଷ୍ଟ ହୋଇଯିବା ଦେଖି ଅନେକ ଶିଶୁଙ୍କ ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ଆଉ ମାତ୍ର ତିନି ମାସ ପରେ ବୋର୍ଡ ପରୀକ୍ଷା। ଏଭଳି ସମୟରେ ବହି, ଖାତା ଓ ନୋଟ ହରାଇଥିବା ଛାତ୍ରଛାତ୍ରୀଙ୍କ ମନରେ ଏବେ ଅନେକ ପ୍ରଶ୍ନ। ପୁଣି କେମିତି ପଢ଼ିବୁ? ପରୀକ୍ଷା କେମିତି ଦେବୁ? ଆମ ଭବିଷ୍ୟତ କ’ଣ ହେବ? ପରୀକ୍ଷା ପ୍ରସ୍ତୁତିରେ ମନ ଦେବା ସମୟରେ ଏହି କୋମଳମତି ଶିଶୁମାନେ ଏବେ ବନ୍ୟାର କ୍ଷତଚିହ୍ନ ଭିତରେ ନିଜ ଭବିଷ୍ୟତ ଖୋଜୁଛନ୍ତି।

ବନ୍ୟା ପାଣି ହୁଏତ ଦିନେ ଶୁଖିଯିବ, ଘରଦ୍ୱାର ମଧ୍ୟ ପୁଣି ସଜାଡ଼ି ହୋଇଯିବ। କିନ୍ତୁ ପିଲାମାନଙ୍କ ନଷ୍ଟ ହୋଇଥିବା ପାଠପଢ଼ା ଓ ମାନସିକ ଆଘାତର ଭରଣା କିଏ କରିବ? ସେମାନଙ୍କ ଆଖିରୁ ଲୁହ ପୋଛି ପୁଣି ହାତରେ ଖାତା, ବହି ଓ କଲମ ଧରାଇବା କେବଳ ସରକାର ଓ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମାଜର ମଧ୍ୟ ନୈତିକ କର୍ତ୍ତବ୍ୟ। ବନ୍ୟା ବିପନ୍ନ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନୂଆ ପାଠ୍ୟପୁସ୍ତକ, ଖାତା, ବ୍ୟାଗ ଓ ସ୍କୁଲ ପୋଷାକ ଯୋଗାଇବା ସହ ସୱତନ୍ତ୍ର ଶିକ୍ଷା ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। କାରଣ ବନ୍ୟାରେ ଘର ଭାଙ୍ଗିଲେ ପୁଣି ଗଢ଼ିହେବ, କିନ୍ତୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଗଲେ ତାହାକୁ ପୁଣି ଗଢ଼ିବା ସହଜ ନୁହେଁ।

ଏନେଇ ଯୁକ୍ତଦୁଇ ବିଜ୍ଞାନ ଛାତ୍ରୀ ସରସ୍ବତୀ ନାହାକ କହିଛନ୍ତି, ନଖାଇ ନ ଶୋଇ ବର୍ଷସାରା ପ୍ରାକ୍ଟିକାଲ ଖାତାରେ ସବୁ ଲେଖିଥିଲି। ହେଲେ ସବୁ ବନ୍ୟା ପାଣିରେ ନଷ୍ଟ ହୋଇଗଲା। ମୋ ପାଖରେ ଆଉ ବହି, ଖାତା କି ନୋଟ କିଛି ନାହିଁ। ପରୀକ୍ଷାକୁ ଆଉ ମାତ୍ର ତିନି ମାସ ବାକି। ଏବେ କେମିତି ପଢ଼ିବି? ଶିକ୍ଷାମନ୍ତ୍ରୀ ମୋ ଭଳି ଦୁଃଖ ଭୋଗୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ। ପ୍ରାକ୍ଟିକାଲ ପରୀକ୍ଷାରେ ଆମକୁ ହଇରାଣ ନକରି ନଷ୍ଟ ହୋଇଥିବା ନୋଟ୍‌ବୁକ୍‌କୁ ଦେଖି ମାର୍କ ଦେବାର ବ୍ୟବସ୍ଥା କରନ୍ତୁ।

ସେହିପରି ଚତୁର୍ଥ ଶ୍ରେଣୀର କୁନି ଝିଅ ପୂଜା ନାହାକ କହିଛନ୍ତି, ମୋର ବହିପତ୍ର ସବୁ ନଷ୍ଟ ହୋଇଯାଇଛି। ଏବେ ସାଙ୍ଗସାଥୀଙ୍କଠାରୁ ବହି ମାଗି ପଢ଼ିବି। ଏହି କୁନି କୁନି ପିଲାଙ୍କ ଆକୁଳ ନିବେଦନ ଏବେ ସରକାର ଓ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରୁଛି। ବନ୍ୟା ବିପନ୍ନଙ୍କ ଘର ସଜାଡ଼ିବା ସହ ସେମାନଙ୍କ ପିଲାଙ୍କ ଶିକ୍ଷାଜୀବନକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବା ଏବେ ସବୁଠାରୁ ବଡ଼ ଆବଶ୍ୟକତା।

 

Dharitri – Odisha’s No.1 Odia Daily

 

Share