Categories: ବାଣିଜ୍ୟ

‘ଶିକ୍ଷା ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ’

ଭୁବନେଶ୍ୱର,୨୪।୧୧: ଫିକି ଓ ଆଦିତ୍ୟ ବିର୍ଲା ସିଏସ୍‌ଆର୍‌ (ସେଣ୍ଟର ଫର ଏକ୍ସିଲେନ୍ସ)ର ମିଳିତ ଆନୁକୂଲ୍ୟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ଦ୍ୱାରା ବୁଧବାର ଆଇଡିଏଟର ୧୧ତମ ଅଧିବେଶନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜାତୀୟସ୍ତରର କର୍ମଶାଳା ‘ପାରାଡେଜିମ୍‌ ସିଫ୍ଟ ଇନ୍‌ ଏଜୁକେଶନ୍‌ ଲ୍ୟାଣ୍ଡସ୍କୋପ-ବ୍ଲେଣ୍ଡେଡ୍‌ ପେଡାଗୋଜୀ’ ଶୀର୍ଷିକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି କୋଭିଡ ମହାମାରୀ ପରେ ନ୍ୟାଶନାଲ୍‌ ଏଜୁକେଶନ୍‌ ପଲିସି (ଏନଇପି) ଏବଂ ଶିକ୍ଷାରେ ପ୍ରାଦ୍ୟୋଗିକ ସଞ୍ଚାରର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା।

ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା ଉଦଘାଟନୀ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ। ସେହିଭଳି ପ୍ରଥମ ଏଜୁକେଶନ୍‌ ଫାଉଣ୍ଡେଶନ୍‌ର ସିଇଓ ଡ. ରୁକ୍ମିଣୀ ବାନାର୍ଜୀ ବର୍ତ୍ତମାନର ଶିକ୍ଷା ଓ ନୂତନ ଶିକ୍ଷା ନିୟମ ବିଷୟରେ ବିସ୍ତୃତ ଭାବେ ଭର୍ଚୁଆଲ୍‌ ଜରିଆରେ ଉପସ୍ଥାପନ କରିଥିଲେ। ଅପରପକ୍ଷରେ ଆଇଡିଏଟ୍‌-୨୦୨୨ରେ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇ ଡ. ୱାଇ ସୁରେଶ ରେଡ୍ଡୀ, ଡ.ନୀଳିମା ଚୋପ୍ରା, ମଧୁକର ବନୁରୀ ଏବଂ ପ୍ରଫେସର୍‌ ହୃଷୀକେଶ ସେନାପତି ପ୍ରମୁଖ କର୍ମଶାଳାର ଶୀର୍ଷକ ସମ୍ପର୍କରେ ଆଲୋକପାତ କରିଥିଲେ।

ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା କହିଛନ୍ତି, ଶିକ୍ଷା ଏକ ପ୍ରଗତିଶୀଳ ସମାଜର ବିକାଶ ଏବଂ ରାଷ୍ଟ୍ରର ସୃଜନାତ୍ମକ ପରିବର୍ତ୍ତନ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଏନ୍‌ଇପି-୨୦୨୦ ଆମର ଶିକ୍ଷା ପ୍ରଣାଳୀରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନର ପ୍ରଚାର କରିଥାଏ। ସେହିଭଳି ଏହା କେବଳ ସ୍କୋର କାର୍ଡର ଫଳାଫଳକୁ ଅଧିକ ଗୁରୁତ୍ୱ ଦେଇ ନ ଥାଏ ବରଂ ପିଲାମାନଙ୍କୁ ନିଜର ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ। ସମାଜମୁଖୀ କ୍ଷମତା ପ୍ରାପ୍ତ କରିବାରେ ଏହା ସକ୍ଷମ କରାଇଥାଏ। ଫିକିର ବରିଷ୍ଠ ନିର୍ଦ୍ଦେଶକ ତଥା ସିଏସଆର ମୁଖ୍ୟ (ଡାଇଭର୍ସିଟି ଆଣ୍ଡ ଇନକ୍ୟୁଜନ) ଉମା ସେଠ ଧନ୍ୟବାଦ୍‌ ଅଭିଭାଷଣ ପ୍ରଦାନ କରିଥିଲେ।

Share