Categories: ବାଣିଜ୍ୟ

କମିପାରେ ଖାଇବା ତେଲ ମୂଲ୍ୟ

ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ମଧ୍ୟ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଅଶୋଧିତ ପାମ୍‌ ତେଲର ଆମଦାନୀ ଶୁଳ୍କ ୧୦% ରୁ ୨.୫%କୁ ହ୍ରାସ କରାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତେଲର ଆମଦାନୀ ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ ଘଟିଛି ।

ଏଥି ସହିତ ବିଶୋଧିତ ଗ୍ରେଡ୍‌ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନୀ ଶୁଳ୍କ ୩୭.୫%ରୁ ୩୨.୫%କୁ ଖସି ଆସିଛି। ଆମଦାନୀ ଶୁଳ୍କ ହ୍ରାସ ପରେ ଅଶୋଧିତ ପାମୋଲିନ ତେଲ, ଅଶୋଧିତ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ସମୁଦାୟ ୨୪.୭୫% ଟିକସ ଲାଗୁ ହେବ ବୋଲି ଜଣାପଡ଼ିଛି। ଏଥିରେ ୨.୫% ବେସ୍‌ ଆମଦାନୀ ଶୁଳ୍କ ରହିଥିବା ବେଳେ ଅନ୍ୟାନ୍ୟ ଟ୍ୟାକ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତେବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ବଜାରରେ ବିଭିନ୍ନ ବର୍ଗର ଖାଇବା ତେଲର ମୂଲ୍ୟ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ଜରିଆରେ ଦେଶର ଖାଇବା ତେଲର ଦୁଇତୃତୀୟାଂଶ ଚାହିଦା ପୂରଣ ହୋଇଥାଏ। ଭାରତ ଏହାର ଘରୋଇ ବ୍ୟବହାର ପାଇଁ ଇଣ୍ଡୋନେସିଆ ଏବଂ ମାଲେସିଆ ଭଳି ଦେଶରୁ ପାମୋଲିନ ତେଲ ଆମଦାନୀ କରିଥାଏ। କେନ୍ଦ୍ର ସରକାରଙ୍କ ଉକ୍ତ ନିର୍ଦ୍ଦେଶାବଳୀ ଶନିବାର ଠାରୁ ସାରା ଦେଶରେ ଲାଗୁ କରାଯିବା ନେଇ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ଏହିସବୁ ତୈଳର ଖୁଚୁରା ମୂଲ୍ୟରେ ପ୍ରତି ଲିଟର ପିଛା ପ୍ରାୟ ୪ରୁ ୫ ଟଙ୍କା ହ୍ରାସ ହୋଇପାରେ ବୋଲି ସଲଭେଣ୍ଟ ଏକ୍ସପୋର୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ଇଏଆଇ) ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ବି.ଭି. ମେହେଟା କହିଛନ୍ତି। ଭାରତରେ ସରକାର ଶୁଳ୍କ ହ୍ରାସ କରିବା ପରେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେବାର ବି ଦେଖାଯାଇଛି। ଏଣୁ ଶୁଳ୍କ ହ୍ରାସ ଯୋଗୁ ବେଶି ନ ହେଲେ ବି ଖାଉଟିଙ୍କୁ ଲିଟର ପିଛା ୨ରୁ ୩ଟଙ୍କା ଶସ୍ତାରେ ଏହା ନିଶ୍ଚିତ ମିଳିପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ସରକାର ଯଦି ସତରେ ଉକ୍ତ ନିଷ୍ପତ୍ତିକୁ ଯଥାଶୀଘ୍ର ରାଜ୍ୟରେ ଲାଗୁ କରିବା ସହ ବଜାର ଦର ଉପରେ ନଜର ରଖିବେ ତା’ ହେଲେ ରାଜ୍ୟର କୋଟି କୋଟି ଖାଉଟି ଏହାଦ୍ୱାରା ବେଶ୍‌ ଉପକୃତ ହୋଇପାରିବେ। ଗତ କିଛି ମାସ ମଧ୍ୟରେ ବିଭିନ୍ନ ବର୍ଗର ତେଲ ଯଥା ସୋରିଷ ତେଲ ଲିଟର ପିଛା ୮୦ ଟଙ୍କା ଥିବା ବେଳେ ଏବେ ୧୯୦ ଟଙ୍କା, ପାମୋଲିନ ୬୫ ଟଙ୍କା ଥିବା ବେଳେ ଏବେ ୧୭୫ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୮୫ ଟଙ୍କା ଥିବା ବେଳେ ଏବେ ୧୭୫ ଟଙ୍କାରେ ବିକ୍ରି ହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share