Categories: ବାଣିଜ୍ୟ

ଶସ୍ତା ହୋଇପାରେ ଖାଇବା ତେଲ, ସୁନା, ରୁପା

ନୂଆଦିଲ୍ଲୀ,୪।୧୦: ଗତ କିଛି ଦିନ ହେବ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି। ଫଳରେ ଆଗାମୀ ଦିନଗୁଡ଼ିକରେ ଭାରତୀୟ ବଜାରରେ ଖାଇବା ତେଲ ଏବଂ ସୁନା ଓ ରୁପା ମୂଲ୍ୟ ଶସ୍ତା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସରକାର ଚଳିତ ପାକ୍ଷିକ ବୈଠକରେ ଖାଇବା ତେଲ, ସୁନା ଓ ରୁପା ଆମଦାନୀ ମୂଲ୍ୟରେ ବେସିକ୍‌ ଇମ୍ପୋର୍ଟ ପ୍ରାଇସ୍‌ ହ୍ରାସ କରିଛନ୍ତି। ସେହିଭଳି ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିଶ୍ୱରେ ଖାଇବା ତେଲ ଓ ରୁପାର ସବୁଠୁ ବଡ଼ ଆମଦାନୀକାରୀ ଦେଶ ଭାବେ ଗଣିତ ହୋଇଥାଏ। ସେହିପରି ଭାରତ ସୁନାର ୨ୟ ବଡ଼ ଉପଭୋକ୍ତା ଭାବେ ସ୍ବୀକୃତି ପାଇଛି। ଅପରପକ୍ଷରେ ଉକ୍ତ ରିପୋର୍ଟ ଅନୁସାରେ ସରକାର ଅଶୋଧିତ ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ୯୯୬ ଡଲାର ପ୍ରତି ଟନ୍‌ରୁ ହ୍ରାସ କରି ୯୩୭ ଡଲାର କରି ଦେଇଛନ୍ତି। ଏଥିରୁ ପାମ୍‌ ଅଏଲ ଓ ଅନ୍ୟ ଖାଇବା ତେଲ ଆମଦାନୀର ବେସ୍‌ ପ୍ରାଇସ୍‌ ହ୍ରାସ ହୋଇଥିବାରୁ ମୂଲ୍ୟ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଆମଦାନୀକାରୀଙ୍କ ଶୁଳ୍କ ହିସାବ ପରେ ଦର କେତେ ଶସ୍ତା ହେବ ତାହା କୁହାଯାଇପାରିବ। ଏଥିରେ ସରକାର ଆରବିଡି ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୧୯ ଡଲାରରୁ ହ୍ରାସ କରି ୯୮୨ଡଲାର କରିଛନ୍ତି। ସେହିପରି ଆରବିଡି ପାମୋଲିନର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୩୫ ଡଲାରରୁ ହ୍ରାସ କରି ୯୯୮ଡଲାର କରିଥିବା ବେଳେ ଅଶୋଧିତ ସୋୟାବିନ ତେଲର ବେସ୍‌ ପ୍ରାଇସ୍‌ ୧୩୬୨ଡଲାରରୁ ହ୍ରାସ କରି ୧୨୫୭ ଡଲାର କରିଛନ୍ତି। ସେହିପରି ସୁନା ପ୍ରତି ୧୦ଗ୍ରାମ୍‌ ବେସ୍‌ ପ୍ରାଇସ୍‌ ୫୪୯ ଡଲାରରୁ ୫୩୩ ଡଲାର କରିଥିବା ବେଳେ ରୁପା କେଜି ପିଛା ୬୩୫ରୁ ୬୦୮ ଡଲାରକୁ ହ୍ରାସ କରିଛନ୍ତି ବୋଲି ଜଣାପଡ଼ିଛି।

Share