ଜଗବନ୍ଧୁଙ୍କ ଜାମିନ ଆବେଦନ, ଜବାବ ଦାଖଲ ପାଇଁ ସମୟ ନେଲା ଇଡି

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ବୁଧବାର ଶୁଣାଣି ହୋଇଛି। କାହିଁକି ଜଗବନ୍ଧୁଙ୍କୁ ଜାମିନ ଦିଆ ନ ଯିବ ସେନେଇ ଜବାବ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ କୋର୍ଟ କହିଥିଲେ। ତେବେ ଏହାର ଜବାବ ଦାଖଲ ପାଇଁ ଇଡି ସମୟ ନେଇଛି। ପରବର୍ତ୍ତୀ ଶୁଣାଣିରେ ଜବାବ ଦାଖଲ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇିଛି। ଜଗବନ୍ଧୁଙ୍କ ପକ୍ଷରୁ ଓକିଲ ବିଶ୍ୱଚନ୍ଦନ ମହାନ୍ତି ଓ ଜୟଦୀପ ପାଲ କିଛିଦିନ ତଳେ ହାଇକୋର୍ଟରେ ବେଲ୍‌ ପିଟିଶନ୍‌ ଦାଖଲ କରିଥିଲେ। ଜଷ୍ଟିସ୍‌ ଭି. ନରସିଂହ ଏହି ପିଟିଶନ୍‌ର ଶୁଣାଣି କରୁଛନ୍ତି। ଅନ୍ୟପକ୍ଷରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲ କରିବା ନେଇ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ମଙ୍ଗଳବାର ଜାମିନ ଦେଇଛନ୍ତି। ହେଲେ ଇଡି ଓ ଖଣ୍ଡଗିରି ଥାନାରେ ତାଙ୍କୁ ଜାମିନ ମିଳି ନ ଥିବାରୁ ସେ ଜେଲରେ ରହିଛନ୍ତି। ସେହିପରି ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ପାତ୍ର ମଧ୍ୟ ବହୁଦିନ ଧରି ଜେଲରେ ଦିନ କାଟୁଛନ୍ତି।
ସୂଚନାଯୋଗ୍ୟ, ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଦ୍ୱାରା ଅର୍ଚ୍ଚନା ବ୍ଲାକ୍‌ମେଲ କରି ଧମକ ଦେବା ସହ ଟଙ୍କା ମାଗୁଥିବା ନେଇ ଅକ୍ଷୟ ପରିଜା ଗତବର୍ଷ ସେପ୍ଟେମ୍ବର ୩୦ରେ ନୟାପଲ୍ଲୀ ଥାନାରେ ଏତଲା କରିଥିଲେ। ମାମଲାରେ ପୋଲିସ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ସେପଟେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ନିଶା ଦେଇ ନଗ୍ନ ଭିଡିଓ କରିବା ପରେ ବ୍ଲାକ୍‌ମେଲ୍‌ କରି ହନିଟ୍ରାପରେ ଫସାଇବାକୁ ବାଧ୍ୟ କରୁଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅକ୍ଟୋବର ୨ରେ ଏତଲା ଦେଇଥିଲେ। ପୋଲିସ ଅର୍ଚ୍ଚନା ଓ ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ସେହିପରି ବେଆଇନ ଅର୍ଥ କାରବାର ମାମଲାରେ ଇଡି ଖଗେଶ୍ୱରଙ୍କୁ ଗିରଫ କରିବା ସହ ଜେଲରେ ଥିବା ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ଗିରଫ ଦର୍ଶାଇଥିଲା।