Categories: ଜାତୀୟ

ଚିଦାମ୍ବରମ୍‌ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୪।୨ (ପି.ଟି.): ସାରଦା ଚିଟ୍‌ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍‌ ବିଧାୟକ ଦେବେନ୍ଦ୍ର ନାଥ ବିଶ୍ୱାସ ଏବଂ ଆସାମର ପୂର୍ବତନ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ମାଲିକାନାରେ ଥିବା ଏକ କମ୍ପାନୀର ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ୩.୩ କୋଟି ଟଙ୍କାର ଅସ୍ଥାବର ଏବଂ ୩ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଆଟାଚ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଇଡି ଶୁକ୍ରବାର କହିଛି। ଏହି ସମ୍ପତ୍ତି ସାରଦା ଗ୍ରୁପ୍‌ ଓ ଅନ୍ୟମାନଙ୍କ ମାଲିକାନାରେ ଥିଲା। ଏହି ଗ୍ରୁପ୍‌ ଦ୍ୱାରା ହୋଇଥିବା ଅର୍ଥ କାରବାର ଦୁର୍ନୀତିର ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ଲାଭ ଉଠାଇଥିଲେ। ନଳିନୀ, ବିଶ୍ୱାସଙ୍କ ବ୍ୟତୀତ ଇଷ୍ଟ ବେଙ୍ଗଲ କ୍ଲବ୍‌ର କାର୍ଯ୍ୟକର୍ତ୍ତା ଦେବବ୍ରତ ସର୍କାର ଏବଂ ଆସାମ କଂଗ୍ରେସର ଜଣେ ପୂର୍ବତନ ସଭାପତି ଦତ୍ତଙ୍କ ମାଲିକାନାରେ ଥିବା ଅନୁଭୂତି ପ୍ରିଣ୍ଟର୍ସ ଆଣ୍ଡ ପବ୍ଲିକେଶନ୍ସ ସାରଦା ଫାଇନାନ୍ସ ଦୁର୍ନୀତିରୁ ଫାଇଦା ଉଠାଇଥିଲେ। ଏକ ଟେଲିଭିଜନ ଚ୍ୟାନେଲ କିଣା ଡିଲ୍‌କୁ ନେଇ ସାରଦା ଗ୍ରୁପ୍‌ ପାଇଁ ଅଦାଲତ ଏବଂ କମ୍ପାନୀ ଲ’ ବୋର୍ଡରେ ହାଜର ହେବା ବାବଦକୁ ନଳିନୀଙ୍କୁ ୧.୨୬ କୋଟି ଟଙ୍କା ଲିଗାଲ ଫି ପୈଠ କରାଯାଇଥିଲା। ଦତ୍ତ ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଘନିଷ୍ଠ ଥିଲେ ଏବଂ ପରିବହନ ସମେତ ବିଭିନ୍ନ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ। ୨୦୧୩ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଶାରଦା ଗ୍ରୁପ୍‌ ହଜାର ହଜାର ଜମାକାରୀଙ୍କୁ ଠକିଥିଲା। ଅଧିକ ସୁଧର ପ୍ରଲୋଭନ ଦେଖାଇ ଏହି କମ୍ପାନୀ ଲୋକଙ୍କଠାରୁ ବେଆଇନ ଭାବେ ଜମା ସଂଗ୍ରହ କରୁଥିଲା। ଏହି ଗ୍ରୁପ୍‌ କମ୍ପାନୀ ଦ୍ୱାରା ୨,୪୫୯ କୋଟି ଟଙ୍କା କାରବାର ହୋଇଥିଲା। ସେଥିରୁ ଜମାକାରୀଙ୍କ ୧,୯୮୩ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିପାରି ନାହିଁ। ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲାଣି।

Share