Categories: ଜାତୀୟ

ଦାଉଦ୍‌ଙ୍କ ଭଉଣୀଙ୍କ ଘରେ ଇଡ଼ି ଚଢ଼ାଉ, ରାଜନୈତିକ ଲିଙ୍କର ଖିଅ ଖୋଜା ଜାରି..

ମୁମ୍ବାଇ, ୧୫।୨ : ଅଣ୍ଡରୱାଲର୍‌ଡ କାର୍ଯ୍ୟକଳାପ, ବେଆଇନ ସମ୍ପତ୍ତି କ୍ରୟ ବିକ୍ରୟ ତଥା ହାୱାଲା କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ ଅନ୍ତର୍ଗତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁମ୍ବାଇର ୯ ଟି ଏବଂ ଠାଣେର ଗୋଟିଏ ସ୍ଥାନରେ ଚଢ଼ାଉ କରିଛି। ଅଣ୍ଡରୱାଲର୍‌ଡ ଡନ ଦାଉଦ୍‌ ଇବ୍ରାହିମଙ୍କ ସ୍ବର୍ଗତ ଭଉଣୀ ହସିନା ପାର୍କରଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏହା ସହିତ ଅର୍ଥ ହେରଫେର ମାମଲାରେ ଛୋଟା ଶକିଲଙ୍କ ଶଳାଙ୍କୁ ଇଡି ଗିରଫ କରିଛି।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫଆଇଆର୍‌ ଉପରେ ଇଡ଼ି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ସୂତ୍ର ଅନୁଯାୟୀ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମ୍‌ଙ୍କ ବିରୋଧରେ ଥିବା ହାୱାଲା, ଚୋରା ଚାଲାଣ ଏବଂ ବେଆଇନ ସମ୍ପତ୍ତି କାରବାର ସମ୍ବନ୍ଧୀୟ ପ୍ରମାଣ ଇଡ଼ି ଖୋଜୁଛି।

ଏହି ସନ୍ଦେହଜନକ କାରବାର ସହିତ କିଛି ରାଜନୈତିକ ଲିଙ୍କ ମଧ୍ୟ ଇଡ଼ିର ରାଡାରରେ ରହିଛି। ରାଜନୈତିକ ଲିଙ୍କର ଖିଅ ଖୋଜିବା ପାଇଁ ଇଡ଼ି ପକ୍ଷରୁ ଏହୀ ଚଢ଼ାଉ କରାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ଅଣ୍ଡରୱାଲର୍‌ଡର କିଛି ପଳାତକ ଏବଂ ରାଜନେତାଙ୍କ ବିରୋଧ ମଧ୍ୟ ତଦନ୍ତ ଜାରି ରହିଛି। ଇଡ଼ି ପକ୍ଷରୁ ଇକବାଲ ମିର୍ଚିଙ୍କ ସମ୍ପତ୍ତି ଜବତ କରିବା ପରେ ଏହା ଅଣ୍ଡରୱାଲର୍‌ଡ ଉପରେ ଆଉ ଏକ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।
ଦାଉଦ୍‌ ଇବ୍ରାହିମଙ୍କ ଭଉଣୀ ସ୍ବର୍ଗତ ହସିନା ପାର୍କରଙ୍କ ଘରେ ଇଡି ଅଧିକାରୀଙ୍କ ଏକ ଟିମ ସକାଳେ ପହଞ୍ଚି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କିଛି ଗୁପ୍ତ କାଗଜ ପତ୍ର ଜବତ କରାଯାଇଥିବା ସୂତ୍ରରୁ ପ୍ରକାଶ।

Share