Categories: ଜାତୀୟ

ପିଏମଏଲଏ ଆଧାରରେ ଇଡି ଯାଞ୍ଚ୍‌: ରାୟର ସମୀକ୍ଷା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ସହମତି…

ନୂଆଦିଲ୍ଲୀ, ୨୨।୮ : ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମନି ଲଣ୍ଡରିଂ ସହିତ ଜଡିତ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟା ସମ୍ପର୍କିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ ସମର୍ଥନ କରୁଥିବା ଆଦେଶର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ସୋମବାର ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରିଛନ୍ତି।

ଏହି ବିଷୟରେ ଶୁଣାଣି ପାଇଁ ଏକ ତାରିଖ ଶୀଘ୍ର ସ୍ଥିର କରାଯିବ ବୋଲି କୋର୍ଟ କହିଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ରହିଥିବା ବ୍ୟକ୍ତିଙ୍କ ପ୍ରତି ଏକ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଜୁଲାଇ ୨୭ ରେ ପିଏମଏଲଏ ଆକ୍ଟର ବିଭିନ୍ନ ଧାରାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଥ୍‌ତ୍ଲେ। ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୮ରେ ଆଇନରେ କରାଯାଇଥିବା ସଂଶୋଧନ ଠିକ ଅଟେ। ଏହା ସହିତ, ସର୍ବୋଚ୍ଚ ନ୍ୟାୟାଳୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମସ୍ତ କ୍ଷମତାକୁ ସମର୍ଥନ କରିଥିଲେ। କୋର୍ଟ କହିଥିଲେ ଏନଫୋର୍ସମେଣ୍ଟ କେସ ସୂଚନା ରିପୋର୍ଟ (ଇସିଆଇଆର) ଏଫଆଇଆର୍‌ ସହିତ ଯୋଡ଼ା ହୋଇପାରିବ ନାହିଁ।

ଅଭିଯୁକ୍ତଙ୍କୁ ଇସିଆଇଆରର କପି ଦେବା ଜରୁରୀ ନୁହେଁ। ଗିରଫ ସମୟରେ ଏହାର କାରଣ ପ୍ରକାଶ କରିବା ଯଥେଷ୍ଟ। କୋର୍ଟ କହିଥିଲେ ଇଡି ପକ୍ଷରୁ ପୂର୍ବରୁ ଦିଆଯାଇଥିବା ବିବୃତ୍ତି ଏହାର ପ୍ରମାଣ। ପିଏମଏଲଏର ଅନେକ ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୦୦ ରୁ ଅଧିକ ଆବେଦନ କରାଯାଇଥିଲା। ଏଥିରେ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଥିଲା। କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ, ଏନସିପି ନେତା ଅନୀଲ ଦେଶମୁଖ ଏବଂ ଅନ୍ୟମାନଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ ହୋଇଥିଲା।

Share