Categories: ଜାତୀୟ

ପତ୍ନୀଙ୍କୁ ଇଡିର ନୋଟିସ ପରେ ସଞ୍ଜୟ କହିଲେ ଘରେ ଥିବା ମହିଳାଙ୍କୁ ଟାର୍ଗେଟ କରିବା କାପୁରଷତାର ପରିଚୟ

ମୁମ୍ବାଇ,୨୮ ।୧୨: ପିଏମ୍‌ସି ଘୋଟାଲା ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯିବା ପରେ ରାଗିଯାଇଛନ୍ତି ସଞ୍ଜୟ । ସୋମବାର ସଞ୍ଜୟ କହିଛନ୍ତି । ଗତ ଏକ ବର୍ଷ ହେବ ଶରଦ ପାୱାର, ଏକନାଥ ଖଡସେ ଓ ପ୍ରତାପ ସରନଇକଙ୍କୁ ନୋଟିସ ମିଳିଛି । ଆଉ ଏବେ ସମସ୍ତେ ମୋ ନାଁକୁ ନେଇ ଚର୍ଚ୍ଚା କରୁଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଏହା ସବୁ କେବଳ କାଗଜ ଖଣ୍ଡ ଆଉ କିଛି ନୁହେଁ । ଏବେ ଘରେ ଥିବା ମହିଳାଙ୍କୁ ଟାର୍ଗେଟ କରିବା କେବଳ କାପୁରଷତାର ପରିଚୟ । ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସଞ୍ଜୟ ଏମିତି କାମକୁ ଆଦୌ ଭୟ କରନ୍ତି ନାହିଁ । ସେ କହିଛନ୍ତି କେବଳ ରାଜନୈତିକ ଖେଳ ଯୋଗୁ ତାଙ୍କ ପତ୍ନୀଙ୍କ ନାଁରେ ସମନ ପଠାଯାଇଛି । ଇଡି କେନ୍ଦ୍ର ସରକାରଙ୍କ ଇସାରାରେ ପରିଚାଳିତ ହେଉଛି । ହେଲେ ଆମେ ଆଇନର ଅବମାନନା କରିବୁ ନାହିଁ । ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ମୋ ସହ ପଙ୍ଗା ନିଅନ୍ତୁ ନାହିଁ କାରଣ ମୁଁ ଲଙ୍ଗଳା ଲୋକ ତା’ ସହ ଶିବସୈନିକ ମଧ୍ୟ । ମୋ ନିକଟରେ ଭାଜପାର ଫାଇଲ ରହିଛି । ଯଦି ମୁଁ ଏହାକୁ ବାହାର କରିବି ତେବେ ସେମାନେ ଦେଶଛାଡି ଚାଲିଯିବେ । ମୋ ନିକଟରେ ଏବେ ୧୨୧ ଲୋକଙ୍କ ନାଁ ରହିଛି । ଆଉ ଏହାକୁ ଇଡିକୁ ହସ୍ତାନ୍ତର କଲେ ଇଡି ୫ ବର୍ଷ ପର୍ଯ୍ୟନ୍ତ ଏହା ଉପରେ କାମ କରିବ । ସେତେବେଳେ ଯାଇ ଇଡି ଜାଣିପାରିବ ଯେ ସେ କାହାଠାରୁ ପଙ୍ଗା ନେଉଥିଲା ।

Share