Categories: ଜାତୀୟ

ସିସୋଡିଆଙ୍କୁ ଗିରଫ କରିପାରେ ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଗିରଫ କରିପାରେ। ଏନେଇ ଆମ ଆଦମୀ ପାର୍ଟି (ଏଏପି)ର ଏକ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗୁରୁବାର ଦିଲ୍ଲୀର ତିହାର ଜେଲ୍‌ରେ ଇଡି ସିସୋଡିଆଙ୍କୁ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛି। ଏହାପୂର୍ବରୁ ମଙ୍ଗଳବାର ବି ଇଡି ଜେଲ୍‌ରେ ସିସୋଡିଆଙ୍କୁ ପଚରାଉଚରା କରିଥିଲା। ସିସୋଡିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ଫେବୃଆରୀ ୨୬ରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ସୋମବାର ଦିଲ୍ଲୀ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଥିଲେ। ତେବେ ସିବିଆଇ ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଶୁଣାଣି ଶୁକ୍ରବାର ହେବ ବୋଲି ସୂଚନା ରହିଛି।

Share