ଗୋପାଳପୁର ବିଧାୟକଙ୍କ ଝିଅଙ୍କୁ ଇଡିର ମାରାଥନ ଜେରା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଟାଟା କମ୍ପାନୀରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଜେଲରେ ଥିବା ଆକାଶ ପାଠକଙ୍କ ଭାବି ଶଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପାଠକ ଓ ପାଣିଗ୍ରାହୀ ପରିବାର ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଇଡି ଖୋଳତାଡ ଜାରି ରଖିଥିବା ବେଳେ ଶ୍ରୁତିଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି।

ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୬ଘଣ୍ଟା ଧରି ଶ୍ରୁତିଙ୍କୁ ଇଡି ମାରଥନ ଜେରା କରିଛି। ଅକ୍ଟୋବର ୫ରେ ଅଭୟକାନ୍ତଙ୍କୁ ପ୍ରଥମ ଥର ଜେରା କରାଯାଇଥିଲା। ନଭେମ୍ବର ୧୧ରେ ଆକାଶଙ୍କୁ ଝାରପଡା ଜେଲରେ ଇଡି ଜେରା କରିଥିବା ବେଳେ ଗତକାଲି ଅର୍ଥାତ ଗୁରୁବାର ଦ୍ୱିତୀୟ ଥର ତାଙ୍କ ବାପା ଅଭୟକାନ୍ତଙ୍କୁ ଜେରା କରାଯାଇଥିଲା। ଜେରା ସମୟରେ ଇଡିକୁ ଅର୍ଥ କାରବାର ନେଇ ବହୁ ତଥ୍ୟ ମିଳିଥିଲା। ଶ୍ରୁତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ବାରମ୍ବାର ଟଙ୍କା ନେଣଦେଣ ହୋଇଥିବା ଜେରା ବେଳେ ଜଣାପଡିଥିଲା। ଉକ୍ତ ତଥ୍ୟ ଆଧାରରେ ଶ୍ରୁତିଙ୍କୁ ଇଡି ଜେରା କରିଛି। ଆକାଶଙ୍କ ସହ ଶ୍ରୁତି ବିଦେଶ ଯିବା ସହ ବିଭିନ୍ନ ଷ୍ଟାର ହୋଟେଲ୍‌ରେ ଥିଲେ। ସେଥିରେ କେତେ ଟେଙ୍କା ଖର୍ଚ୍ଚ ହୋଇଥିଲା, ତାଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ଆକାଶ କେତେ ଟଙ୍କା ପଠାଇଥିଲେ, ଏଭଳି ବିଭିନ୍ନ ଦିଗକୁ ନେଇ ତାଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।