Categories: ଜାତୀୟ

ଜୁଲାଇ ଦ୍ୱିତୀୟ ସପ୍ତାହରେ ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୩।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାନି ସମନ ଜାରି କରିଛି। ତାଙ୍କୁ ଜୁଲାଇ ଦ୍ୱିତୀୟ ସପ୍ତାହରେ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି। ବୁଧବାର ସୋନିଆ ଇଡିକୁ ପତ୍ର ଲେଖି ନିଜର ଅସୁସ୍ଥତା ସମ୍ପର୍କରେ ଅବଗତ କରାଇବା ସହ ଜେରା ପାଇଁ ଆଉ କିଛିଦିନ ସମୟ ମାଗିଥିଲେ। ତେବେ ଗୁରୁବାର ତଦନ୍ତକାରୀ ସଂସ୍ଥା ଏହାକୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୨ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ନାକରୁ ରକ୍ତ ପଡ଼ିବାରୁ ଗତ ୧୨ ତାରିଖରେ ସୋନିଆଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ସୋମବାର ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅନ୍ୟପଟେ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୫ ଦିନରେ ପ୍ରାୟ ୫୧ ଘଣ୍ଟା ଜେରା କରିସାରିଲାଣି।

Share