Categories: ଜାତୀୟ

ଓଡ଼ିଶାର ପୂର୍ବତନ ଏମ୍‌ପି, ୨ ପୂର୍ବତନ ବିଧାୟକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୫।୮:ଚିଟ୍‌ଫଣ୍ଡ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ କମ୍ପାନୀର ୨.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଓଡ଼ିଶାର ଜଣେ ପୂର୍ବତନ ଏମ୍‌ପି ଏବଂ ଦୁଇଜଣ ପୂର୍ବତନ ବିଧାୟକ ପୂର୍ବରୁ ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ। ସେମାନେ ହେଲେ ମୟୂରଭଞ୍ଜର ପୂର୍ବତନ ଏମ୍‌ପି ରାଜଚନ୍ଦ୍ର ହଁାସଦା, କେନ୍ଦୁଝର ସଦରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଏବଂ ଖରିଆରର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି। ଏମାନଙ୍କ ବ୍ୟତୀତ ଅଞ୍ଜନ କୁମାର ବଳିୟାରସିଂ, ପ୍ରଦୀପ କୁମାର ପଟ୍ଟନାଏକ, କାର୍ତ୍ତିକେୟ ପରିଡ଼ା କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି।
ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ) ଅଧିନରେ ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ଲିଃ ଏବଂ ଏହାର ଗ୍ରୁପ୍‌ କମ୍ପାନୀଗୁଡ଼ିକର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅସ୍ଥାୟୀ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହଁାସଦା ଏନ୍‌ସିପି ଏବଂ ବିଜେଡି ପରେ ଗତବର୍ଷ ଜେଏମ୍‌ଏମ୍‌ରେ ଯୋଗଦେଇଥିଲେ। ସୁବର୍ଣ୍ଣ ନାଏକ ମଧ୍ୟ ବିଜେଡିରେ ଥିଲେ। ଚିଟ୍‌ଫଣ୍ଡ ମାମଲାରେ ୨୦୧୪ରେ ସେମାନେ ଗିରଫ ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଭାଜପା ଟିକେଟରେ ଜିତିଥିବା ବଗର୍ତ୍ତି ମଧ୍ୟ ଗିରଫ ହୋଇଥିଲେ। ଜବତ ସମ୍ପତ୍ତି ମଧ୍ୟରେ ରହିଛି ଆଇଡିବିଆଇ ଏବଂ ଇଣ୍ଡିଆନ ବ୍ୟାଙ୍କର ୪୮ଟି ଆକାଉଣ୍ଟରେ ଜମା ହୋଇଥିବା ୧୬ ଲକ୍ଷ ଟଙ୍କା। ପୁରୀ ଜିଲାର ନରେନ୍ଦ୍ରପୁର ମୌଜା ଏବଂ ଖୋର୍ଦ୍ଧା ଜିଲାର କାଇପଦର ମୌଜାରେ ୨ କୋଟି ଟଙ୍କା ମୂଲ୍ୟର ଦୁଇଟି ଜମି। ସିବିଆଇର ଏତଲା ଓ ଦୁଇଟି ଚାର୍ଜଶିଟ୍‌ ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ ହୋଇଥିଲା।

Share