ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…

ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଜେଟ୍‌ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ ସାମିଲ ରହିଛି। ନଭେମ୍ବର ୨୦୨୨ରେ ଗୋୟଲଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତେେରେ ଏନେଇ ଅଭିଯୋଗ କରାଯାଇଥିଲା। ବିମାନ କମ୍ପାନୀ ଲାଗି ଦିଆଯାଇଥିବା ଲୋନ୍‌କୁ କଥିତ ଭାବେ ବ୍ୟକ୍ତିଗତ ଖର୍ଚ୍ଚ ଏବଂ ନିଜର ଋଣ ଶୁଝିବା ଲାଗି ବ୍ୟବହାର କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା।

କହିରଖୁଛୁ, ୭୪ ବର୍ଷୀୟ ଗୋୟଲଙ୍କୁ ସେପ୍ଟେମ୍ବର ପହିଲାରେ ଗିରଫ କରାଯାଇଥିଲା। ଏବେ ସେ ନ୍ୟାୟିକ ହେପାଜତରେ ଆର୍ଥର ରୋଡ୍‌ରେ ଥିବା ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି। ତେବେ ସେ ଏହି ମାମଲାରେ ନିଜର ଅବୈଧ ଗିରଫଦାରୀକୁ ଚ୍ୟାଲେଞ୍ଜ ଦେଇ ଏକ ଆବେଦନ କରିଛନ୍ତି। ଦିନ ଥିଲା ବିମାନ ଶିଳ୍ପର ବାଦ୍‌ଶାହା ଥିଲେ ନରେଶ। ତାଙ୍କ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ଦେଶର ସବୁଠାରୁ ବଡ଼ କମ୍ପାନୀ ଥିଲା। ହେଲେ ବଢ଼ୁଥିବା ଋଣ ଏବଂ ଖର୍ଚ୍ଚକୁ ସୂଚାରୁରୂପେ ତୁଲାଇ ନ ପାରିବା କାରଣରୁ କମ୍ପାନୀ ଏବେ ବୁଡ଼ି ଯାଇଛି।

Share