Categories: ଜାତୀୟ

ଜୈବିକ ସାର ଉତ୍ପାଦନରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨୬।୪ ଭାରତ ୨୦୧୭-୧୮ ବର୍ଷରେ ୩୩୮.୭୨ ନିୟୁତ ଟନ୍‌ ଜୈବିକ ସାର ଉତ୍ପାଦନ କରିଥିବାବେଳେ ୨୦୨୦-୨୧ରେ ମାତ୍ର ୩.୮୮ ନିୟୁତ ଟନ୍‌ ଉତ୍ପାଦନ କରିଛି। ଜୈବିକ ତଥା ପ୍ରାକୃତିକ କୃଷିକୁ ପ୍ରାଧାନ୍ୟ ଦେଇ ଆଗେଇବାକୁ ହେଲେ ଦେଶବ୍ୟାପୀ ଏକ ଲକ୍ଷ୍ୟଭିତ୍ତିକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ସିଏସ୍‌ଇ (ବିଜ୍ଞାନ ଓ ପରିବେଶ କେନ୍ଦ୍ର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଜୈବ ଖତ ଓ ଜୈବିକ ସାର ଉତ୍ପାଦନ ଓ ବ୍ୟବହାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ପରମ୍ପରାଗତ କୃଷି ବିକାଶ ଯୋଜନା, ଉତ୍ତରପୂର୍ବାଞ୍ଚଳ ପାଇଁ ମିଶନ ଅର୍ଗାନିକ୍‌ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଏବଂ ଜାତୀୟ ତୈଳବୀଜ ଓ ପାମ୍‌ ଅଏଲ୍‌ ମିଶନ ସେଥିରୁ ଅନ୍ୟତମ। ତେବେ ଏଥିରେ ବ୍ୟୟ ହେଉଥିବା ମୋଟ ପାଣ୍ଠି ପରିମାଣ ରାସାୟନିକ ସାର ଉପରେ ଦିଆଯାଉଥିବା ବାର୍ଷିକ ସବ୍‌ସିଡି ତୁଳନାରେ ଯଥେଷ୍ଟ କମ୍‌। କାରଣ ଦେଶରେ ମୋଟ ୧୪୦.୧ ନିୟୁତ ହେକ୍ଟର ଜମିରେ ଚାଷ ହେଉଥିବାବେଳେ ସେଥିରୁ ଉପରୋକ୍ତ ଯୋଜନାରେ ଜୈବିକ କୃଷି ହେଉଥିବା ଜମି ପରିମାଣ ପ୍ରାୟ ୨.୭ ପ୍ରତିଶତ ବୋଲି ସିଏସ୍‌ଇ ରିପୋର୍ଟରେ କୁହାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୯୯୪ କୋଟି ଟଙ୍କା ମଞ୍ଜୁରୀ ହୋଇଥିବାବେଳେ ମିଶନ ଅର୍ଗାନିକ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ ଯୋଜନାରେ ୪୧୬ କୋଟି, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ଜୈବସାର ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଅନ୍ୟ ପକ୍ଷରେ ରାସାୟନିକ ସାର ଉପରେ ସବସିଡି ପ୍ରତିବର୍ଷ ବଢ଼ିଚାଲିଛି। ୨୦୨୦-୨୧ରେ ଏହି ସବ୍‌ସିଡି ପରିମାଣ ୧,୩୧,୨୩୦ କୋଟି ଟଙ୍କା ରହିଥିଲା।
୩ ବର୍ଷ ମଧ୍ୟରେ ଜୈବିକ ସାର ଉତ୍ପାଦନ ଏତେମାତ୍ରାରେ ହ୍ରାସ ପାଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ୨୦୨୦-୨୧ରେ ମୋଟ ତରଳ ଜୈବସାର ଉତ୍ପାଦନ ୨୬,୪୪୨ କିଲୋଲିଟର ରହିଛି, ଯାହା ୨୦୧୪-୧୫ ତୁଳନାରେ ୫୫୨ ପ୍ରତିଶତ ଅଧିକ। ୨୦୨୦୨୧ରେ କ୍ୟାରିୟର ଭିତ୍ତିକ କଠିନ ଜୈବସାର ଉତ୍ପାଦନ ୧,୩୪,୩୨୩ ଟନ୍‌ ରହିଛି ଯାହା ୨୦୦୮-୦୯ ତୁଳନାରେ ୪୩୫ ପ୍ରତିଶତ ଅଧିକ।

Share