କାଓନୋମିକ୍ସ ଟେକ୍ନୋଲୋଜିରେ ପୁନରୁଦ୍ଧାର ହେବ ଜଳାଶୟ

କଟକ ଅଫିସ,୨୮ା୪: କଟକ ସହରରେ ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ମଶାବଂଶ ବୃଦ୍ଧି ପାଉଛି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏକ ଅଭିନବ ଉପାୟରେ ଜଳାଶୟଗୁଡିକୁ ବିଶୋଧନ କରି ବ୍ୟବହାର ଉପଯୋଗୀ ପାଇଁ ଯୋଜନା କରାଯାଇଛି। ଏନେଇ ଆଧୁନିକ ବିଶୋଧନ ପ୍ରକ୍ରିୟା କାଓନୋମିକ୍ସ ଟେକ୍ନୋଲୋଜି ବ୍ୟବହାର କରାଯିବ। ଏହା ଏକ ଆୟୁର୍ବେଦ ପଦ୍ଧତି। ଏହି ପଦ୍ଧତି ମାଧ୍ୟମରେ ସ୍ବତନ୍ତ୍ର ଜ୍ଞାନକୌଶଳ ଉପଯୋଗ କରାଯାଇ ଜଳାଶୟଗୁଡିକର ପାଣି ସ୍ବଚ୍ଛ କରାଯିବ। ଏହାଦ୍ୱାରା ମଶାବଂଶ ଲୋପ ପାଇବ।
ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜଳାଶୟକୁ ସାମିଲ କରାଯାଇଥିବା ସିଏମ୍‌ସି ମେୟର ସୁବାସ ସିଂ ସୂଚନା ଦେଇଛନ୍ତି। ସେଗୁଡିକ ହେଲେ ବିଡାନାସୀ ଡିସ୍‌ପେନ୍‌ସରୀ ପଛପଟରେ ଥିବା ବାଈମୁଣ୍ଡି ନଗର ଜଳାଶୟ, ରାଉଳପଡାର ପାତ୍ର ପୋଖରୀ, ସୂତାହାଟ ଚର୍ଚ୍ଚ ସମ୍ମୁଖ ପୋଖରୀ, କାଫଲା ଫାଣ୍ଡିସ୍ଥିତ ରେବା କଲୋନୀ ପୋଖରୀ, ସିଦ୍ଧେଶ୍ୱର ସାହି ମହାଦେବ ପୋଖରୀ, ବକ୍ସିବଜାର ବଢେଇସାହି ପୋଖରୀ, ଗଣ୍ଡରପୁରସ୍ଥିତ କୋରା ପୋଖରୀ, ଚାଉଳିଆଗଞ୍ଜ ମଠସାହି ପୋଖରୀ ଓ ଚାନ୍ଦିନୀଚୌକ୍‌ର ହାଡଗଡିଆ ପୋଖରୀ। ଏହି ପରିପ୍ରେକ୍ଷୀରେ ଗୁରୁବାର ମେୟର ସିଂ, କମିଶନର ନିଖିଲ ପୱନ କଲ୍ୟାଣ, ଡେପୁଟି ମେୟର ଦମୟନ୍ତୀ ମାଝି ପ୍ରମୁଖ ବ୍ୟାପ୍‌ଟିଷ୍ଟ ଚର୍ଚ୍ଚ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀ ପରିଦର୍ଶନ କରିବା ସହ ତୁରନ୍ତ ବିଶୋଧନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏ ନେଇ ସେମାନେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
ପ୍ରକାଶଥାଉ କି, କାଓନୋମିକ୍ସ ପଦ୍ଧତିରେ ଆୟୁର୍ବେଦୀୟ ସାମଗ୍ରୀଗୁଡିକୁ ଉପଯୋଗ କରାଯିବ। ଏହାଦ୍ୱାରା ଜଳାଶୟରେ କୌଣସି ରାସାୟନିକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ। ଫଳରେ ସହଜରେ ଜଳାଶୟଗୁଡିକୁ ସ୍ବଚ୍ଛ ଓ ଗାଧୋଇବା ଉପଯୋଗୀ କରାଯାଇପାରିବ। ଏହି ଜ୍ଞାନକୌଶଳ ଉପଯୋଗ ଦ୍ୱାରା ମଶାବଂଶ ଲୋପ ପାଇବା ସହ ସେଠାରେ ଦଳ ଜନ୍ମ ହେବ ନାହିଁ। ଜଳାଶୟରେ ସୃଷ୍ଟି ହୋଇଥିବା ଶିଉଳି ନଷ୍ଟ ହୋଇ ଜୀବାଣୁ ମୁକ୍ତ ହେବ। ଦାୟିତ୍ୱ ନେଇଥିବା ସଂସ୍ଥା ମହାରାଷ୍ଟ୍ରର ବ୍ରିଥ୍‌ଗ୍ରୀନ ୧ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ କରିବ ବୋଲି ଜଣାପଡିଛି।