Categories: ଫୁରସତ

ସେଣ୍ଟ୍ରାଲ ଏକ୍ସାଇଜ ଦ୍ୱାରା ଦେଶରେ ଆର୍ଥିକ ବିକାଶ

୧୯୪୪ ଫେବୃୟାରୀ ୨୪ରେ ଲାଗୁହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ ଏକ୍ସାଇଜ ଡେ ଭାବେ ପାଳନ କରାଯାଉଛି। ବିଶେଷକରି ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଦୁର୍ନୀତିକୁ ରୋକିବା ସହ ସ୍ବଚ୍ଛତା ବଜାୟ ରଖିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳଲକ୍ଷ୍ୟ। ଦେଶ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ(ସିବିଆଇସି)ର ସେବାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସରେ ଭଲ କାମ କରିଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥାଏ।
ପୂର୍ବରୁ ସେଣ୍ଟ୍ରାଲ ଏକ୍ସାଇଜ ଆଣ୍ଡ କଷ୍ଟମ୍ସ ଭାବରେ ଜଣାଶୁଣା ଥିଲା। କଷ୍ଟମ୍ସ ଆଇନ ପରିଚାଳନା ପାଇଁ କଷ୍ଟମ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ/କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରତିଷ୍ଠା କରାଯାଇଛି। ୨୦୧୭ ଜୁଲାଇ ୧ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରଠାରୁ ଏହା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ପରିସୀମା ହ୍ରାସ ପାଇଛି। ଏହା ଏବେ କେବଳ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଏବଂ ଟବାକୋ(ମାଦକଦ୍ରବ୍ୟ ସଂକ୍ରାନ୍ତୀୟ) ସାମଗ୍ରୀ ଉପରେ ଲାଗୁ ହେଉଛି।
ଏହି ବିଭାଗ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଅଧୀନରେ ଅଛି, ଯାହା କଷ୍ଟମ୍ସ ଆଦାୟ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି, କେନ୍ଦ୍ରୀୟ ଜିଏସ୍‌ଟି ଏବଂ ଆଇଜିଏସ୍‌ଟି, ଚୋରା ଚାଲାଣ ରୋକିବା ଏବଂ ନାର୍କୋଟିକ୍ସ(ନିଶା କାରବାର)ଜଡ଼ିତ ବିଷୟଗୁଡ଼ିକର ଟିକସ ପ୍ରଶାସନ ସମ୍ବନ୍ଧୀୟ ନୀତି ପ୍ରଣୟନ ସହିତ କାର୍ଯ୍ୟ କରୁଛି। ସିବିଆଇସି ଅଧୀନରେ କଷ୍ଟମ୍ସ, ସେଣ୍ଟ୍ରାଲ ଏକ୍ସାଇଜ, ସେଣ୍ଟ୍ରାଲ ଦ୍ରବ୍ୟ ଓ ସେବାକର, ଆଇଜିଏସ୍‌ଟି, ନାର୍କୋଟିକ୍ସ, କଷ୍ଟମ ହାଉସ, ସେଣ୍ଟ୍ରାଲ ଏକ୍ସାଇଜ ଏବଂ ସେଣ୍ଟ୍ରାଲ ଜିଏସ୍‌ଟି କମିଶନର, କେନ୍ଦ୍ରୀୟ ରାଜସ୍ବ ନିୟନ୍ତ୍ରଣ ଲାବରେଟୋରି ସମେତ ଅନ୍ୟାନ୍ୟ ବୋର୍ଡ ଏହାର ଅଧୀନ ସଙ୍ଗଠନଗୁଡ଼ିକ ପାଇଁ ପ୍ରଶାସନିକ ପ୍ରାଧିକରଣ ଭାବେ କାର୍ଯ୍ୟ କରୁଛି। ଏହି ଦିବସରେ ଦେଶରେ ବିଭିନ୍ନ ସ୍ଥାନରେ ସେମିନାର, କର୍ମଶାଳା, ଶିକ୍ଷାଗତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥାଏ। ଏହା ବ୍ୟତୀତ ସମ୍ପୃକ୍ତ ବିଭାଗ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ସେବା ପ୍ରଦାନକାରୀ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥାଏ।

Share