ଡିସେମ୍ବର ୧ରୁ କୋରାପୁଟରେ ଇକୋ ରିଟ୍ରିଟ୍‌

ସୁନାବେଡ଼ା/ସେମିଳିଗୁଡ଼ା, ୧୨।୧୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଡିସେମ୍ବର ୧ରୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍‌। ପର୍ଯ୍ୟଟକ ସେଠାରେ ରହି ସେମିଳିଗୁଡ଼ା ବ୍ଲକ ଅଧୀନ ଦୁଧାରୀ ପଞ୍ଚାୟତର ପୁଟସିଲି ଓ ଫୁଲବନ୍ଧ ମଧ୍ୟରେ ଥିବା ଗିର୍ଲିମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଥିରେ ମୋଟ ୨୮ଟି କଟେଜ ବ୍ୟବସ୍ଥା କରାଯାଇଛି। ଉକ୍ତ କଟେଜର ତାରକା ହୋଟେଲ ଭଳି ସେବା ଲୋକଙ୍କୁ ମିଳିବ। ପର୍ଯ୍ୟଟକଙ୍କ ପାଇଁ ତାରକା ହୋଟେଲ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏହା ସହ ଏଠାରେ ପର୍ଯ୍ୟଟକଙ୍କୁ କୋରାପୁଟିଆ ଖାଦ୍ୟ ମଧ୍ୟ ଦିଆଯିବ ବୋଲି ସୂଚନା ମିଳିଛି। ଏଥିସହ ୨ଶହ କର୍ମଚାରୀ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ପାଇଁ ନିୟୋଜିତ କରାଯାଇଛି ବୋଲି ସୂଚନା ମିଳିଛି।
ଗତବର୍ଷ ଇକୋ ରିଟ୍ରିଟ୍‌ ପରିଚାଳନା ଦାୟିତ୍ୱ ରାଜସ୍ଥାନର ଏକ ସଂସ୍ଥାକୁ ଦିଆଯାଇଥିଲା। ଅନ୍‌ଲାଇନରେ ବହୁ ପର୍ଯ୍ୟଟକ କଟେଜ୍‌ ପାଇଁ ବୁକିଂ କରିଥିଲେ ମଧ୍ୟ ସେମାନଙ୍କୁ ସେବା ଯୋଗାଇଦେବାରେ ଫେଲ୍‌ ମାରିଥିଲା ସଂସ୍ଥା। ଏହାକୁ ନେଇ ପର୍ଯ୍ୟଟନ ବିଭାଗକୁ କଟୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଚଳିତ ବର୍ଷ ଦିଲ୍ଲୀର ଏକ ସଂସ୍ଥାକୁ ଇକୋ ରିଟ୍ରିଟ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଇକୋ ରିଟ୍ରିଟ୍‌ର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସଂସ୍ଥାର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ। ପୂର୍ବ ସଂସ୍ଥା ଦ୍ବାରା ବିଜୁଳି ଦେୟ ବାକି ରହିଥିବାରୁ ଏପରି ଅସୁବିଧା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସଂସ୍ଥାର ଅଧିକାରୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଜିଲାପାଳ କହିଛନ୍ତି।