ଏମ୍ସରେ ଲାଗିବ ଏକ୍‌ମୋ ମେଶିନ

ଭୁବନେଶ୍ୱର,୧୦।୬: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଲାଗିବ ୨ଟି ଏକ୍‌ମୋ ମେଶିନ। ଜୁନ ଶେଷ ସୁଦ୍ଧା ଏହି ମେଶିନ ଲାଗିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧ୍ୟକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଏକ୍‌ମୋ ମେଶିନ ପରିଚାଳନା ପାଇଁ ଏମ୍ସ ପକ୍ଷରୁ ଟେକ୍ନିସିଆନ ନିଯୁକ୍ତ କରାଯିବ। ବର୍ତ୍ତମାନ ମେଶିନ ପରିଚାଳନା ପାଇଁ କିଛି କର୍ମଚାରୀଙ୍କୁ ତାଲିମ ଦିଆଯାଉଛି।

କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସାର ଆବଶ୍ୟକତା ରହୁଛି। ହେଲେ କୌଣସି ସରକାରୀ ଡାକ୍ତରଖାନାରେ ଏକ୍‌ମୋ ମେଶିନ ନ ଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିପ୍ଟିଂ କରାଯାଉଛି। କିଛି ଦିନ ମଧ୍ୟରେ ୩ ଜଣ ଗୁରୁତର ରୋଗୀଙ୍କୁ ଏୟାରଲିପ୍ଟିଂ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏମ୍ସରେ ଏକ୍‌ମୋ ମେଶିନ ସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଉଛି।

ସେହିପରି ରାଜ୍ୟ ସରକାର କଟକ ଏସ୍‌ସିବି ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏକ୍‌ମୋ ମେଶିନ ଲଗାଇବା ନେଇ ସୂଚନା ଦେଇଛନ୍ତି।