ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଦଳର ୨ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମମତା ବାନାର୍ଜୀ ଏବଂ ଅରୂପ ରୟଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଆଗାମୀ ଉପନିର୍ବାଚନରେ ଦଳୀୟ ନାମ ‘ତୃଣମୂଳ କଂଗ୍ରେସ’ ଏବଂ ଚିହ୍ନ ‘ଯୋଡ଼ା ଫୁଲ ଓ ଘାସ’ ବ୍ୟବହାର କରିବା ଉପରେ ରୋକ ଲଗାଯାଇଛି । ଏହାସହ ଶୁକ୍ରବାର ସକାଳ ୧୧ଟା ମଧ୍ୟରେ ଉଭୟ ଗୋଷ୍ଠୀକୁ ନିଜର ନୂତନ ପସନ୍ଦଯୋଗ୍ୟ ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନର ୩ଟି ଲେଖାଏ ବିକଳ୍ପ ଦାଖଲ କରିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି।

‘ଇଲେକ୍ସନ ସିମ୍ବଲ୍ସ ଅର୍ଡର ୧୯୬୮’ ଅଧୀନରେ କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୬ରେ ପଶ୍ଚିମବଙ୍ଗର ‘ନନ୍ଦୀଗ୍ରାମ’ ଏବଂ ‘ରେଜିନଗର’ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଉଭୟ ମମତା ବାନାର୍ଜୀ ଏବଂ ଅରୂପ ରୟଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ‘ତୃଣମୂଳ କଂଗ୍ରେସ’ ବୋଲି ଦାବି କରି ଦଳୀୟ ଚିହ୍ନ ପାଇଁ ଆବେଦନ କରିଥିଲେ।

ଗୁରୁବାର ରାତିରେ ଜାରି ନିର୍ଦ୍ଦେଶନାମାରେ କମିଶନ କହିଛନ୍ତି ଯେ, ମୁଖ୍ୟ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ ଉଭୟ ଗୋଷ୍ଠୀକୁ ସମାନ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ପୂର୍ବ ନଜିର ଆଧାରରେ ଏହି ଅନ୍ତରୀଣ କଟକଣା ଲାଗୁ କରାଯାଇଛି। ଇସିଙ୍କ ନିର୍ଦ୍ଦେଶ ଅନୁସାରେ, ଉଭୟ ଗୋଷ୍ଠୀ ଚାହିଁଲେ ନିଜର ନୂତନ ନାମ ସହିତ ମୂଳ ଦଳ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଯୋଡ଼ିପାରିବେ।

 

Dharitri – Odisha’s No.1 Odia Daily

Share