ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଶରୀରରେ ଯନ୍ତ୍ରଣା ହେବାରୁ ବେଙ୍ଗଲୁରୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି, ରେଜଲ୍ଟକୁ ଅପେକ୍ଷା। ଅହମଦାବାଦ ଦେଇ ବେଙ୍ଗାଲୁରୁ ଆସିଥିବା ୨୮ ବର୍ଷୀୟା ମହିଳାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅଧିକାରୀଙ୍କ ଅନୁଯାୟୀ, ଇବୋଲା ପ୍ରଭାବିତ ଅଞ୍ଚଳରୁ ଆସିଥିବା ମହିଳାଙ୍କୁ ହୋଟେଲରୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (NIV)କୁ ପଠାଯାଇଛି, ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସରକାର କହିଛନ୍ତି ଯେ ଭାରତରେ ଇବୋଲାର କୌଣସି ନିଶ୍ଚିତ ମାମଲା ରିପୋର୍ଟ ହୋଇନାହିଁ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଭାରତରେ ଏପର୍ଯ୍ୟନ୍ତ ଇବୋଲା ଭାଇରସ ରୋଗର କୌଣସି ନିଶ୍ଚିତ ମାମଲା ନାହିଁ। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଭାରତ ସରକାରଙ୍କୁ ଇବୋଲା ଭାଇରସ ପ୍ରତି ସତର୍କ କରାଯାଇଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନରୁ ଆସୁଥିବା କିମ୍ବା ପରିବହନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ସ୍ବାସ୍ଥ୍ୟ ପରାମର୍ଶ ଜାରି କରିଛି। ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଅସ୍ବାଭାବିକ ରକ୍ତସ୍ରାବ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଳି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀମାନଙ୍କୁ ଇମିଗ୍ରେସନ କ୍ଲିୟରାନ୍ସ ପୂର୍ବରୁ ତୁରନ୍ତ ବିମାନବନ୍ଦର ସୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ସରକାର ପରାମର୍ଶ ଦେଇଛନ୍ତି।