Categories: ଖେଳ

ଅଷ୍ଟ୍ରେଲିଆର ସହଜ ବିଜୟ

ପର୍ଥ,୨୬।୧୦(ପି.ଟି.): ଟି୨୦ ବିଶ୍ୱକପ୍‌ ସୁପର-୧୨ରେ ପ୍ରଥମ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ମ୍ୟାଚରେ ଲୋକାଲ ବୟ ମାର୍କସ୍‌ ଷ୍ଟୋଇନିସଙ୍କ ଧୂଆଁଧାର ଅଦ୍ଧଶତକ ବଳରେ ୭ ଉଇକେଟରେ ଜିତି ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଷ୍ଟୋଇନିସଙ୍କ ଅପରାଜିତ ୫୯ ରନ୍‌ ବଳରେ ଅଷ୍ଟ୍ରେଲିଆ ୧୬.୩ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପାଥୁମ୍‌ ନିଶଙ୍କା ୪୦ ରନ୍‌ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୨୬ ଓ ଚରିଥ୍‌ ଅସଲଙ୍କା ୩୮ଙ୍କ ଅବଦାନ ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌, କମିନ୍ସ, ଷ୍ଟାର୍କ, ଆଷ୍ଟନ୍‌ ଆଗର ଓ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଅଷ୍ଟ୍ରେଲିଆର ଆରମ୍ଭ ବେଶ ଧୀମା ରହିଥିଲା। ତେବେ ଷ୍ଟୋଇନିସ୍‌ ମାତ୍ର ୧୮ ବଲରୁ ୫୯ ରନ୍‌ ସ୍କୋର କରି ଦଳକୁ ସହଜ ବିଜୟ ଦେଇଥିଲେ। ଏହି ଇନିଂସରେ ୪ ଚୌକା ଓ ୬ ଛକା ସାମିଲ ଥିଲା। ଷ୍ଟୋଇନିସ ଶ୍ରୀଲଙ୍କା ସ୍ପିନର ଓ୍ବନିନ୍ଦୁ ହସରଙ୍ଗାଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ସେ ୩ ଓଭରରେ ୫୩ ରନ ବ୍ୟୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଞ୍ଚ ୪୨ ବଲ୍‌ ଖେଳି ୩୧ ରନରେ ଅପରାଜିତ ଥଲେ। ଶ୍ରୀଲଙ୍କା ପକ୍ଷରୁ ମହୀଷ ଥିକ୍‌ସାନା, ଧନଞ୍ଜୟ ଡି ସିଲ୍‌ଭା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଷ୍ଟୋଇନିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୫୭/୬ (ପାଥୁମ୍‌ ନିଶଙ୍କା-୪୦, ଚରିଥ୍‌ ଅସଲଙ୍କା-୩୮*, ଧନଞ୍ଜୟ ଡି ସିଲଭା-୨୬, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୧/୫, ମିଚେଲ ଷ୍ଟାର୍କ-୧/୨୫, ଆଷ୍ଟନ ଆଗର-୧/୨୬)। ଅଷ୍ଟ୍ରେଲିଆ ୧୬.୩ ଓଭରରେ ୧୫୮/୩ (ମାର୍କସ ଷ୍ଟୋଇନିସ୍‌-୫୯*, ଆରୋନ୍‌ ଫିଞ୍ଚ-୩୧*, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୨୩, ମହୀଷ ଥିକ୍‌ସାନା-୧/୨୩, ଧନଞ୍ଜୟ ଡି ସିଲ୍‌ଭା-୧/୧୮, ଚାମିକା କରୁଣାରତ୍ନେ-୧/୨୦)।

Share