କାର୍ଯ୍ୟଦକ୍ଷତା ବଢ଼ାଇବାର ସହଜ ଉପାୟ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ ବ୍ୟକ୍ତ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ ସର୍ଭେରୁ ସେମାନେ ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ପ୍ରତିଦିନ କିଛି ସମୟ ପଢ଼ିବା ଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଜୀବନ ଯାପନ କରିବାକୁ କୁହାଯାଇଥିବା ବେଳେ ଅନ୍ୟ ଗ୍ରୁପ୍‌ ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରିବାକୁ ପରାମର୍ଶ ଦିଆଯାଇଥିଲା। କିଛି ସପ୍ତାହ ପରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ମାନସିକତା ଉପରେ ପଡୁଛି ତାହାକୁ ଲକ୍ଷ୍ୟ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ନିୟମିତ କିଛି ସମୟ ପଢ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ବଢ଼ୁଥିବାର ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।