ପାଟିର ବ୍ୟାକ୍ଟେରିଆ ନଷ୍ଟ କରିବାର ସହଜ ଉପାୟ

ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ କରିବାର ଏକ ସହଜ ଉପାୟ ରହିଛି। ଆଜିକାଲି ତ ଚୁଇଙ୍ଗମ ଚୋବାଇବା ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି କହିଲେ ଭୁଲ୍‌ ହେବ ନାହିଁ। ତେବେ ଏହି ଚୁଇଙ୍ଗମରେ ହିଁ ପାଟିଭିତରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାର ଶକ୍ତି ରହିଛି ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ ଚୋବାଇବା ଦ୍ୱାରା ପାଟି ଭିତରେ ଥିବା କେତେକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଅତିକମ୍‌ରେ ୧୦ ମିନିଟ୍‌ ଚୁଇଙ୍ଗମ ଚୋବାନ୍ତି, ତା’ହେଲେ ତାଙ୍କର ପାଟି ଭିତରେ ଥିବା ପ୍ରାୟ ୧୦୦ ମିଲିୟନ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ଏହି ଗବେଷଣା ସମୟରେ ସେମାନେ କିଛି ବ୍ୟକ୍ତିଙ୍କୁ ପାଖାପାଖି ୧୦ ମିନିଟ୍‌ ଚୁଇଙ୍ଗମ ଚୋବାଇବାକୁ ପରାମର୍ଶ ଦେଇଥିଲେ। ତା’ପରେ ସେମାନେ ଚୋବାଇଥିବା ଚୁଇଙ୍ଗମକୁ ନେଇ ଏକ ଜୀବାଣୁ ବିହୀନ ପାଣିରେ ପକାଇ ସ୍କାନିଂ ଇଲେକ୍ଟ୍ରୋ ମାଇକ୍ରୋସ୍କୋପି ଦ୍ୱାରା ସେଥିରେ ଶତାଧିକ ବ୍ୟାକ୍ଟେରିଆ ଥିବାର ଦେଖିବାକୁ ପାଇଥିଲେ।