ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି ।

ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ସିବିଏସ୍‌ଇ ଅନୁବନ୍ଧିତ ବିଦ୍ୟାଳୟରୁ ୩୫୦ରୁ ଅଧିକ ପ୍ରତିଭାବାନ ବାଳକ ଓ ବାଳିକା ତୀରନ୍ଦାଜ, ଟିମ୍‌ ମ୍ୟାନେଜର ଓ କୋଚ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାଟି ୧୪ ବର୍ଷରୁ ନିମ୍ନ ବର୍ଗ, ୧୭ ବର୍ଷରୁ ନିମ୍ନ ବର୍ଗ ଓ ୧୯ବର୍ଷରୁ ନିମ୍ନ ବର୍ଗରେ ଇଣ୍ଡିଆନ, ରିକର୍ବ ଓ କମ୍ପାଉଣ୍ଡସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଦଳଗତ ଭାବେ ଆସାମ ଆର୍ମି ପବ୍ଲିକ ସ୍କୁଲ ଅଧିକ ସଂଖ୍ୟକ ମେଡାଲ ଜିତି ବିଜେତା ହୋଇଥିବା ବେଳେ ଭୁବନେଶ୍ୱର ସୈନିକ ସ୍କୁଲ ରନର୍ସଅଫ ହୋଇଥିଲା।

ବିକାଶ ଶିକ୍ଷାନୁଷ୍ଠାନରେ ମାତ୍ର ଦୁଇବର୍ଷ ହେଲା ତୀରନ୍ଦାଜ ପ୍ରଶିକ୍ଷଣ ଦିଆଯାଉଥିଲେ ମଧ୍ୟ ଶିକ୍ଷାନୁଷ୍ଠାନର ପ୍ରତିଯୋଗୀମାନେ ୯ଟି ମେଡାଲ ଜିତି ବିକାଶ ଶିକ୍ଷାନୁଷ୍ଠାନ ତଥା କଳାହାଣ୍ଡି ଜିଲା ପାଇଁ ଆଣିଥିଲେ। ସମସ୍ତ ଅଭିଜ୍ଞ ଅଧିକାରୀ ଓ ସ୍କୋର ସଂଗ୍ରହକାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାକୁ ଓଡ଼ିଶା ଆର୍ଚେରୀ ଆସୋସିଏଶନ୍‌ ୮ଜଣ ଅଭିଜ୍ଞ ଅଧିକାରୀ ଏବଂ ୧୦ ଜଣ ସ୍ବେଚ୍ଛାସେବକ ପରିଚାଳନା କରିଥିଲେ । ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ମୁଖ୍ୟ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ମାଝି, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି,

ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଥିଲେ। ଏହି ପ୍ରତିଯୋଗିତା କେବଳ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଶୃଙ୍ଖଳା, ଏକାଗ୍ରତା ଶିକ୍ଷା ଲାଭ କରିବାରେ ସହାୟକ ହୋଇଛି ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଆରମ୍ଭରେ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ସ୍ବାଗତ ଭାଷଣ ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ତିନି ଦିନର କ୍ରୀଡା ପ୍ରଦର୍ଶନ ସମ୍ପର୍କରେ ସମ୍ୟକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଅନ୍ୟପକ୍ଷରେ କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ଜୋନସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଥିବାରୁ ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଦୃଢୋକ୍ତି ପ୍ରକାଶ କରିଛନ୍ତି।