ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିଲା। ଭୂକମ୍ପର ଗଭୀରତା ୧୦ କିଲୋମିଟର ତଳେ ଥିଲା। ଭୂକମ୍ପ ପ୍ରଭାବରେ ୫୦ ଲୋକ ଆହତ ହୋଇଥିବା ବେଳେ କିଛି କୋଠା କ୍ଷତିଗ୍ରସ୍ତ ହୋଇଛି।

ତୁର୍କୀର ସରକାରଙ୍କ ଦ୍ୱାରା ପରିଚାଳିତ ବିପର୍ଯ୍ୟୟ ଏବଂ ଜରୁରିକାଳୀନ ପରିଚାଳନା ସଭାପତିଙ୍କ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଇସ୍ତାନବୁଲ୍‌ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଡୁଜେ ପ୍ରଦେଶର ଗୋଲକାୟା ସହରରେ ଥିଲା। ତୁର୍କୀର ଦୁଇଟି ପ୍ରମୁଖ ସହର ଇସ୍ତାନବୁଲ ଏବଂ ରାଜଧାନୀ ଆଙ୍କରାରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ଦୌଡ଼ି ପଳାଇଥିଲେ ଏବଂ ଏହି ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ହୋଇଯାଇଥିଲା। ପରେ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିଛନ୍ତି।

 

Share