Categories: ଜାତୀୟ

ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ, ୨୨ା୩(ପି.ଟି.): ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ରାତି ୧୦ଟା ୨୦ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ହୋଇଥିବାବେଳେ ତୀବ୍ରତା ୬.୬ ଥିବା ଜଣାପଡ଼ିଛି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ୩୦ ସେକେଣ୍ଡରୁ ଅଧିକ ସମୟ ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକେ ଭୟରେ ଘରୁ ବାହାରି ଆସିଥିଲେ। ଧନଜୀବନ ହାନିର କୌଣସି ଖବର ମିଳିନାହିଁ। ଭୂକମ୍ପ ଯୋଗୁ ଜମ୍ମୁର କେତେକ ଅଞ୍ଚଳରେ ମୋବାଇଲ ସେବା ବାଧାପ୍ରାପ୍ତ ହୋଇଥିଲା।
ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍ମୋଲୋଜି ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଫୟଜାବାଦଠାରୁ ଦକ୍ଷିଣପୂର୍ବରେ ୧୩୩ କିଲୋମିଟର ଦୂରରେ ଏବଂ ୧୫୬ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ। ଆଫଗାନିସ୍ତାନ ସମେତ ତୁର୍କମେନିସ୍ତାନ, ତାଜିକିସ୍ତାନ, କାଜାଖସ୍ତାନ, ପାକିସ୍ତାନ, ଉଜ୍‌ବେକିସ୍ତାନ, କିର୍‌ଗିଜସ୍ତାନ ଓ ଚାଇନାରେ ଭୂକମ୍ପ ଅନୁଭୂତ ହୋଇଛି। ହଠାତ୍‌ ଡାଇନିଂ ଟେବୁଲ୍‌ ଓ ସିଲିଂ ଫ୍ୟାନ୍‌ ହଲିଥିଲା ବୋଲି ନୋଏଡ଼ାର ଜଣେ ବାସିନ୍ଦା କହିଛନ୍ତି। ସେହିପରି ଦକ୍ଷିଣ ଦିଲ୍ଲୀ ଲଜପତ ନଗରରେ ରହୁଥିବା ଜ୍ୟୋତି କହିଛନ୍ତି, ସେ ଟିଭି ଦେଖୁଥିବାବେଳେ ତାହା ହଠାତ ଦୋହଲିଥିଲା। ସେ ଓ ତାଙ୍କ ପରିବାର ସଦସ୍ୟ ଘରୁ ବାହାରକୁ ପଳାଇଥିଲେ।

Share