ବର୍ଷା ପରେ ରାତିରେ ଥରିଲା ମାଟି; କଳାହାଣ୍ଡିରେ ଭୂକମ୍ପ ଝଟକା, ଘରୁ ବାହାରି ଆସିଲେ ଲୋକେ

ଭବାନୀପାଟଣା,୨୯।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ବୁଧବାର ରାତି ୭ ଟା ୪୨ ରେ ମୃଦୁ ଭୂମିକମ୍ପ ହୋଇଛି । ପ୍ରାୟ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହାର ପ୍ରଭାବରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି । କେତେକ ସ୍ଥାନରେ କିଛି ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।

ଏହି ଭୂମିକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ବିଶେଷ କରି ଜିଲାର ଧର୍ମଗଡ଼ ଉପଖଣ୍ଡର ଧର୍ମଗଡ଼ ସମେତ ଜୟପାଟଣା, ଜୁନାଗଡ଼, କଲମପୁର, କୋକସରା ଏବଂ ଥୁଆମୂଳ ରାମପୁର ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ଜିଲାରେ ଦିନ ବେଳା ୪୩ ଡିଗ୍ରୀ ରୁ ଅଧିକ ତାପମାତ୍ରା ରହୁଛି । ଯାହାକୁ ନେଇ ସ୍ଥାନୀୟ ଜନ ଜୀବନ ହନ୍ତସନ୍ତ ହୋଇପଡିଛି । ତେବେ ବୁଧବାର ଅପରାହ୍ନରେ ଜିଲାର କିଛି ସ୍ଥାନରେ କାଳ ବୈଶାଖୀର ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଏହାପରେ ଭୂମିକମ୍ପ ହୋଇଛି ।

 

Dharitri – Odisha’s No.1 Odia Daily

Share