ପ୍ରତି ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‌: ୫-ଟି ସଚିବ

ରାୟଗଡ଼ା,୭ା୬(ସ୍ବ.ପ୍ର.): ୫-ଟି ସଚିବ ଭି.କେ.ପାଣ୍ଡିଆନ ଦୁଇଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନରେ ରାୟଗଡ଼ାରେ ପହଞ୍ଚି ବିଜୁ ପଟ୍ଟନାୟକ ଅଡିଟୋରିୟମକୁ ଯାଇଥିଲେ। ସେଠାରେ ଉପସ୍ଥିତ ଶତାଧିକ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ସହ ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପିଲାଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଉନ୍ନତ କରିବା ପାଇଁ ସର୍ବଦା ତତ୍ପର ବୋଲି ସେ କହିଥିଲେ। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରିଥିଲେ। ଆମ ହସ୍ପିଟାଲ କାର୍ଯ୍ୟ ଅନୁଧ୍ୟାନ କରି ସେଠାରୁ ଜୟରାମଗୁଡ଼ାସ୍ଥିତ ଇଣ୍ଡୋର ଷ୍ଟାଡିୟମ ଯାଇଥିଲେ। ନିର୍ମାଣ କାର୍ଯ୍ୟ ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରିଥିଲେ। ସମସ୍ତ ଦାବି ୭ଦିନ ମଧ୍ୟରେ ପୂରଣ କରାଯିବ ବୋଲି ସେ କହିଛନ୍ତି। ଜିଲାରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ସ୍କୁଲ, କଲେଜ ରୂପାନ୍ତରଣ କରିବା ସହ ନୂତନ କୋଠା, ଲାଇବ୍ରେରୀ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରାଯିବ। ଏଥି ସହିତ ସମସ୍ତ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହାପରେ ମଝିଘରିଆଣି ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପାଇଁ ରହିଥିବା ଆବଶ୍ୟକତା ନେଇ କମିଟି ସହ ଆଲୋଚନା କରିବା ସହିତ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗସ୍ତରେ ୫-ଟି ସଚିବଙ୍କ ସହ କ୍ରୀଡ଼ା ସଚିବ ଆର.ଭିନିଲ କ୍ରୀଷ୍ଣା, ଡିଆଇଜି ଚରଣ ସିଂ ମୀନା, ଜିଲାପାଳ ସ୍ବଧାଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସଚିବଙ୍କ ଗସ୍ତ ପାଇଁ ଡିଆଇଜି ମୀନା ଓ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।