ମିଲରଙ୍କ ଶୋଷଣ ନୀତି ରୋକିବାକୁ ଯୁବଚାଷୀଙ୍କୁ ଦାୟିତ୍ୱ

ସମ୍ବଲପୁର,୧୯।୧୧(ବ୍ୟୁରୋ): ପ୍ରଶାସନ ଓ ସରକାରଙ୍କ ସହିତ ସଲାସୁତରା କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। କଟ୍‌ନୀଛଟ୍‌ନୀ କରି ଚାଷୀଙ୍କ ଅମଳ ଧାନକୁ ମିଳିମିଶି ଲୁଟ କରାଯାଉଛ। ଯୋଗାଣ ବିଭାଗ ଓ ଜିଲା ପ୍ରଶାସନ ପାଖରେ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏବେ ଚାଷୀମାନେ ଖୋଦ ନିଜର ସୁରକ୍ଷା ନିଜେ କରିବେ। ଧାନ ସଂଗ୍ରହ ସମୟରେ ମିଲରମାନଙ୍କ ଦାଦାଗିରି ଆଉ ଚଳିବ ନାହିଁ ବୋଲି ଜିଲା କୃଷକ ସଂଗଠନ ସଦସ୍ୟ କ୍ଷୋଭର ସହ କହିଛନ୍ତି।
ମାନେଶ୍ୱର ବ୍ଲକ ତବଲା ମାର୍କେଟ ୟାର୍ଡଠାରେ କୃଷକ ସଂଗଠନ ଉପସଭାପତି ହରିଶଙ୍କର ପୁରୋହିତଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଯୁବ ଚାଷୀମାନଙ୍କୁ ନେଇ ଗଠିତ ଟିମ୍‌ ଚାଷୀମାନଙ୍କ ସମସ୍ୟା ବୁଝିବେ ଓ ଘଟଣାସ୍ଥଳରେ ସମାଧାନ କରିବେ। ଏଥିପାଇଁ ଯଦି କୌଣସି ଅଘଟଣ ଘଟେ ଏଥିପାଇଁ ପ୍ରଶାସନ ଦାୟୀ ରହିବ। ବିଗତ ବର୍ଷରେ ଧାନ ସଂଗ୍ରହରେ ହେଉଥିବା ସମସ୍ୟା ଉପରେ ଚାଷୀମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମଣ୍ଡିରେ ଚାଷୀମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇ ଦିଆଯାଉନାହିଁ। ଧାନ ବିକ୍ରି କରିବାକୁ ଗଲେ ସେଠାରେ ମିଲରଙ୍କ ଏଜେଣ୍ଟମାନେ ଦୁର୍ବ୍ୟବହାର କରୁଛନ୍ତି। ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ସୁବ୍ୟବସ୍ଥା ପାଇଁ ଜିଲାପାଳ ଓ ଯୋଗାଣ ବିଭାଗକୁ କଡ଼ା ତାଗିଦ କରାଯାଇଛି। ହେଲେ ସମ୍ବଲପୁର ଜିଲାରେ ଏହା ଠିକ୍‌ ଭାବେ ପାଳନ ହୋଇ ପାରୁନାହିଁ। ଆସନ୍ତା ୨୨ତାରିଖରୁ ଜିଲାରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତ ବର୍ଷ କଟ୍‌ନୀଛଟ୍‌ନୀ କରାଗଲେ ଚାଷୀମାନେ ବିରୋଧ କରିବେ। ଚାଷୀଙ୍କ ଏହି ସମସ୍ୟା ଦୂର କରିବା ପାଇଁ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ୩୦ଜଣ ଯୁବଚାଷୀଙ୍କୁ ନେଇ କମିଟି ଗଠନ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି କମିଟି ବର୍ଦ୍ଧିତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଶତାଧିକ ଚାଷୀ ଉପସ୍ଥିତ ରହି ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ।