Categories: ଜାତୀୟ

କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୧୯।୧ : ଦେଶ ପାଇଁ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆଜାଦି କେ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏଭଳି ଆହ୍ବାନ ଦେଇଛନ୍ତି। ବ୍ରହ୍ମା କୁମାରୀ ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଆଜି ଆମେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରୁଛୁ ଯେଉଁଠାରେ ଭେଦଭାବର ସ୍ଥାନ ନାହିଁ। ଆମେ ଏକ ସମାଜ ସୃଷ୍ଟି କରୁଛୁ ଯାହା ସମାନତା ଏବଂ ସାମାଜିକ ନ୍ୟାୟର ମୂଳଦୁଆ ଉପରେ ଦୃଢ଼ ଭାବେ ଠିଆ ହୋଇଛି।

ବିକଶିତ ଭାରତର ଚିନ୍ତାଧାରା ଏବଂ ଆଭିମୁଖ୍ୟ ଅଭିନବ ଏବଂ ନିଷ୍ପତ୍ତି ପ୍ରଗତିଶୀଳ ରହିଛି। ଅମୃତ ମହୋତ୍ସବରେ ଦେଶ ସ୍ବାଧୀନତା ସଂଗ୍ରାମର ଇତିହାସକୁ ମନେ ରଖିଛି, ଯେଉଁଥିରେ ବହୁ ମହିଳା ନିଜର ବଳିଦାନ ଦେଇଛନ୍ତି। କିଟୁରର ରାନୀ ଚେନ୍ନମ୍ମା, ମାତାଙ୍ଗିନୀ ହାଜରା, ରାଣୀ ଲକ୍ଷ୍ମୀବାଇ, ବୀରାଙ୍ଗନା ଝଲକାରୀ ବାଈ, ଅହଲ୍ୟା ବାଈ ହୋଲକର ଏବଂ ସାବିତ୍ରୀବାଈ ଫୁଲେ ପ୍ରମୁଖ ଭାରତର ପରିଚୟ ବଜାୟ ରଖିଥିଲେ।

ଆମ ସଂସ୍କୃତି, ଆମର ସଭ୍ୟତା, ଆମର ସଂସ୍କାରକୁ ଜୀବନ୍ତ ରଖିବାକୁ ହେବ। ଆମର ଆଧ୍ୟାତ୍ମିକତା, ଆମର ବିବିଧତାକୁ ସଂରକ୍ଷିତ କରିବା ସହିତ ପ୍ରୋତ୍ସାହିତ କରିବାକୁ ମଧ୍ୟ ପଡ଼ିବ। ଏହା ସହିତ ସମାନ୍ତରାଳ ଭାବେ ଆମକୁ ଟେକ୍ନୋଲୋଜି, ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ ପ୍ରଣାଳୀକୁ ଆଧୁନିକୀକରଣ କରିବା ମଧ୍ୟ ଜରୁରୀ।

ଏଭଳି ସମୟରେ ଶୋଇ ରହି ସ୍ବପ୍ନ ଦେଖିବା ପରିବର୍ତ୍ତେ ଜାଗ୍ରତ ହୋଇ ନିଜର ସଂକଳ୍ପ ପୂରଣ କରିବା ଅପରିହାର୍ଯ୍ୟ। ଆଗାମୀ ୨୫ ବର୍ଷ ହେଉଛି କଠିନ ପରିଶ୍ରମ, ବଳିଦାନ, ସାଧନାର ସମୟ। ଶହ ଶହ ବର୍ଷର ପରାଧିନତାରେ ଆମ ସମାଜ ଯାହା ହରାଇଛି ତାହା ପୁନରୁଦ୍ଧାର ପାଇଁ ଏହା ହେଉଛି ୨୫ ବର୍ଷର ସମୟ ଅବଧି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Share