ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ବଲକର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ପ୍ରତିବେଡ଼ା ଗ୍ରାମର ଦୁର୍ଯ୍ୟ ଭୋଇ (୩୦) ଓ ଦିଗମ୍ବର ଗୌଡ଼ (୧୭)।
ସୂଚନା ଅନୁଯାୟୀ, ଦୁର୍ଯ୍ୟ ନିଜ ଶ୍ୱଶୁର ଘରକୁ ଯାଉଥିବାବେଳେ ନିଜ ଗାଁର ଦିଗମ୍ବରଙ୍କୁ ବାଇକ୍ ସାଙ୍ଗରେ ନେଇଥିଲେ। କୁଚେଇଯୋର ନିକଟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବଲକର (ନଂ. କେଏ-୪୮-ଏ-୦୯୭୦) ସେମାନଙ୍କ ବାଇକ୍କୁ ଧକ୍କା ଦେବା ସହ ଉଭୟଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ଗାଡ଼ି ଜବତ କରିଥିଲା। ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ସୋମବାର ଅପରାହ୍ନରେ କୁଚେଇଯୋର ନିକଟରେ ରାସ୍ତାରୋକ କରିଥିଲେ। ଫଳରେ ଭବାନୀପାଟଣା-ରାୟଗଡ଼ା ରାଜପଥରେ ପ୍ରାୟ ୫ ଘଣ୍ଟା ଧରି ଯାତାୟାତ ଠପ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିବାରୁ ଯାତ୍ରୀ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପରିସ୍ଥିତିର ଗୁରୁତ୍ୱକୁ ଦେଖି କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ ନର୍ଲା ଥାନାଧିକାରୀ କୈବଲ୍ୟ ସେଠ, ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା, ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡ଼ିକା, ଏସଆଇ ପ୍ରବୀଣ କୁମାର ରଥ ଓ ଅଭିନାଶ ଖୁରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତକଙ୍କ ପରିବାର ଓ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।
ଏହି ସମୟରେ ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ରାତି ପ୍ରାୟ ୮ଟାରେ, ଦୀର୍ଘ ୫ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା ଏବଂ ଯାତାୟାତ ସୱାଭାବିକ ହୋଇଥିଲା।
ଦୁର୍ଯ୍ୟ ଭୋଇଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇଜଣ ଛୋଟ ପୁଅ ଥିବାବେଳେ ଦିଗମ୍ବର ଗୌଡ଼ଙ୍କ ପରିବାରରେ କେବଳ ତାଙ୍କ ବୃଦ୍ଧା ମା’ ରହିଛନ୍ତି। ଦୁଇଟି ପରିବାର ଏବେ ଆର୍ଥିକ ଓ ସାମାଜିକ ସଙ୍କଟରେ ପଡ଼ିଥିବାରୁ ସେମାନଙ୍କ ଭରଣପୋଷଣ ଓ ଭବିଷ୍ୟତ ପାଇଁ ସରକାର ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ, ଥାନାରେ ମାମଲା ରୁଜୁ ହୋଇ ନ ଥିବାରୁ ସୋମବାର ମୃତଦେହର ବ୍ୟବଚ୍ଛେଦ ହୋଇପାରି ନ ଥିଲା। ମଙ୍ଗଳବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।