ବର୍ଷକରେ ଲଣ୍ଡା ପାହାଡ଼ ହେଲା ସବୁଜ ବନାନୀ

ସମ୍ବଲପୁର,୧୧ା୧୦(ବ୍ୟୁରୋ): ପତରା ଜଙ୍ଗଲ କିସମ ହୋଇଥିଲେ ସୁଦ୍ଧା ଲଣ୍ଡା ହୋଇ ପଡ଼ିରହିଥିଲା। ବନ ବିଭାଗ ପ୍ରଚେଷ୍ଟାରେ ଏକବର୍ଷ ଭିତରେ ଏବେ ସବୁଜ ବନାନୀରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ଆଗକୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରାଯିବ। ପ୍ରାୟ ୭୨ ପ୍ରକାରର ବୃକ୍ଷ ଏବେ ପରିବେଶକୁ ସୌନ୍ଦର୍ଯ୍ୟମୟ କରିଛି । ଏହା ସମ୍ବଲପୁର ବନଖଣ୍ଡ ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲରେ ଏହି ପ୍ରକ୍ରିୟାରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଡିଏଫ୍‌ଓ ବିଶ୍ୱନାଥ ନିଳାମ୍ବର କହିଥିଲେ। ସେ ଆହୁରି କହିଥିଲେ, ୨୦୨୧ ଅଗଷ୍ଟ ମାସରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହାକୁ ନାମକରଣ କରାଯାଇଛି। ସଦର ରେଞ୍ଜ ଅନ୍ତର୍ଗତ ପୋତାପାଲି ଗ୍ରାମ୍ୟ ଜଙ୍ଗଲରେ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରାୟ ୭୦ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଚାରା ରୋପଣ ପରେ ଜୈବିକ ପଦ୍ଧତିରେ ଚାରାର ଯତ୍ନ ନିଆଯାଇଥିଲା। ଚାରା ରୋପଣ ସମୟରେ ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଆବଶ୍ୟକ ଔଷଧ ଓ ଜୈବିକ ସାର ବ୍ୟବହାର କରାଯାଇଥିଲା। ଯୋଜନା ଅନୁସାରେ ଉଚିତ ସମୟରେ ଗଛର ଯତ୍ନ ନିଆଯାଇଥିଲା। ଫଳରେ ଧାର୍ଯ୍ୟ ଏକବର୍ଷ ମଧ୍ୟରେ ବନବିଭାଗକୁ ସଫଳତା ମିଳିଛି। ଜଙ୍ଗଲ ପରିବେଶରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଚଲାପଥ କରାଯାଇଛି। ପ୍ରାୟ ଏକ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି ହୋଇଛି। ପର୍ଯ୍ୟଟକଙ୍କ ପାଇଁ ଆଗକୁ ସାଇକ୍ଲିଂ ଓ ବ୍ୟାଟେରିଚାଳିତ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ଏବେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ବିଭିନ୍ନ ପ୍ରକାର ପକ୍ଷୀ ଆସି ବସବାସ କରୁଛନ୍ତ। ପକ୍ଷୀଙ୍କ କଳରବ ପରିବେଶକୁ ଆହୁରି ମନଲୋଭା କରୁଛି। ଆଗାମୀ ଦିନରେ ଜିଲାର ବିଭିନ୍ନ ଜଙ୍ଗଲରେ ଏଭଳି ପ୍ରକଳ୍ପ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଡେପୁଟି ସଚିବ ଆନନ୍ଦ କୁମାର ଝା ଏହି ସ୍ଥାନକୁ ପରିଦର୍ଶନ କରିଥିଲେ। ଏହାକୁ ଦେଖି ସେ ବେଶ ଖୁସି ହେବା ସହ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି କହିଥିଲେ।