ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି ସମୟରେ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ୩ ମାସ ହେଲା ଭତ୍ତା ଟଙ୍କା ପାଇନଥିବା ନେଇ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିବା ସହ ହୋହଲ୍ଲା କରିଥିଲେ। ଯେଉଁ ହିତାଧିକାରୀମାନେ ଅନଲାଇନ ଯୋଗେ ଆବେଦନ କରିଛନ୍ତି , ସେମାନଙ୍କ ଭତ୍ତା ଟଙ୍କା ବ୍ୟାଙ୍କକୁ ଆସୁନାହିଁ । ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ ଅଫିସ , ବ୍ଳକ କାର୍ଯ୍ୟାଳୟ ଏବଂ ବ୍ୟାଙ୍କକୁ ଯାଇ ନୟାନ୍ତ ହୋଇ ସାରିଲେଣି। ଜନଶୁଣାଣି ଶିବିରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ ସେଠୀ , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ସିଡିପିଓ ଗିତାଞ୍ଜଳୀ ବେହେରା , ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନୀ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର , ଏଡିଓ ପ୍ରଦୀପ ମଳିକ , ରାଜସ୍ବ ନିରୀକ୍ଷକ ଅମିତ କୁମାର ସ୍ବାଇଁ , ଘୋଡାହାଡ ଜଳସେଚନ ସହକାରୀ ଯନ୍ତ୍ରୀ ଇଂ. ଦେବରାଜ ଗୈାଡ , ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ଲଡୁକିଶୋର ବେହେରା , ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା , ସିଆରସିସି ସିମାଞ୍ଚଳ ଗୌଡଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜନଶୁଣାଣୀରେ ମାତ୍ର ୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।