ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍ୱେରୁ ଖସିଯାଇଛି । ଜଣେ ମହିଳା ଟ୍ରେନି ପାଇଲଟ୍ ବିମାନଟିକୁ ଟେକ୍-ଅଫ୍ କରାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ସୌଭାଗ୍ୟବଶତଃ ମହିଳା ପାଇଲଟ୍ଙ୍କର କୌଣସି ଆଘାତ ଲାଗିନାହିଁ।
ପୋଲିସର ସୂଚନା ଅନୁସାରେ, ବିମାନଟି ଏକ ଫ୍ଲାଇଂ କ୍ଲବ୍ର ଥିଲା। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଏହା ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ବିମାନଟି ରନ୍ୱେର ପକ୍କା ଅଂଶରୁ ବାହାରକୁ ଖସିଯାଇଥିଲା।
ଘଟଣାସ୍ଥଳରୁ ଆସିଥିବା ଫଟୋରେ ବିମାନଟି ଆଗକୁ ନଇଁ ପଡ଼ିଥିବା ଏବଂ ଏହାର ସାମ୍ନା ଭାଗ ଭୂମିକୁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମାନଟି କେଉଁ କାରଣରୁ ରନ୍ୱେରୁ ଖସିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏହାସହ ବିମାନରେ ମୋଟ୍ କେତେ ଜଣ ଥିଲେ, ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ ।