ଦୁର୍ଗାପ୍ରସାଦବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଢେଙ୍କାନାଳ ଅଫିସ,୨୯।୧ ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମକୁ ନୂତନ ରାଜସ୍ବ ମୌଜା ଘୋଷଣା କରାଯାଉନାହିଁ। ଫଳରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ। ଏ ନେଇ ଶୁକ୍ରବାର ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୨୭ରେ ରାଜ୍ୟ ସରକାର ୪୦୦୦ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ। ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ କାଗଜପତ୍ର ଦାଖଲ କରାଯାଇଥିଲା। ହେଲେ ଏ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଉନାହିଁ। ୧୨୦ ବର୍ଷ ପୁରୁଣା ଏହି ଗ୍ରାମର ଜନସଂଖ୍ୟା ୧୬୦୦ ହୋଇଥିବାବେଳେ ଭୋଟରଙ୍କ ସଂଖ୍ୟା ୧୧୫୦। ତଥାପି ଏହିଗ୍ରାମ ପଡ଼ା ତାଲିକାଭୁକ୍ତ ହୋଇ ରହିଛି। ଏହାର ମୂଳ ରାଜସ୍ବ ଗ୍ରାମ ବନ୍ଧନୂଆଗଁା। ଗ୍ରାମରେ ୧୧ ଓ ୧୨ନଂ. ୱାର୍ଡ, ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଅଛି। ୪୦ ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ଷମ ରହିଛି। ୧୯୫୪ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ଏହାକୁ ବାଦ୍‌ଦେଲେ ଦେବୋତ୍ତର ବିଭାଗ ପରିଚାଳନାରେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର, ୨ଟି ଭାଗବତ ଟୁଙ୍ଗୀ ଅଛି। ଗ୍ରାମଦେବୀ ମଙ୍ଗଳା ମନ୍ଦିରରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ପ୍ରସିଦ୍ଧ ଝାମୁଯାତ୍ରା ହୁଏ। ବ୍ଲକର ସାମାଜିକ, ସାଂସ୍କୃତିକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୁର୍ଗାପ୍ରସାଦକୁ ରାଜସ୍ବ ମୌଜା କରିବା ଲାଗି ୨୦୦୯ରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ହେଲେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏହାର ପ୍ରତିବାଦରେ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମ କମିଟି ସଭାପତି ସୋମନାଥ ବେହେରା, ସମ୍ପାଦକ ଝାଟୁ ରଞ୍ଜନ ମିଶ୍ର, ପୂର୍ବତନ ସଭାପତି ମାଧବାନନ୍ଦ କର ପ୍ରମୁଖ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା